Latest Odisha News

BREAKING NEWS

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫ 

ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ ଚେତନାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଭାଗ ବସାଇବା ଆରମ୍ଭ କରିଥିଲା । ଯଦିଚ ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟା ଜମାରୁ ସାତ ଓ ଯଦିଚ ସେତେବେଳେ ଦୁଇ ବର୍ଷରେ ଥରେ ବା ତିନି ବର୍ଷରେ ଥରେ ଓଡ଼ିଆ ଚଳଚ୍ଚିତ୍ର ଥିଏଟର୍‌ରେ ଖେଳୁଥିଲା, ତେବେ ବି ତା’କୁ ନେଇ ଆଗ୍ରହ କିଛି କମ୍ ନଥିଲା । ଯେଣୁ ଚଳଚ୍ଚିତ୍ରକୁ ନେଇ ଆଗ୍ରହ ଓ ଉତ୍ସାହ ଓଡ଼ିଆଙ୍କ ମନରେ ଅଧିକରୁ ଅଧିକ ଖେଳୁଥିଲା, ଏଣୁ ଏହାର ପ୍ରଭାବ ସ୍ୱରୂପ ପତ୍ରପତ୍ରିକା ପୃଷ୍ଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ମଧ୍ୟ କିଛି ଅଂଶ ଦଖଲ କଲା । ହଉ ପଛେ ସାହିତ୍ୟ ପତ୍ରିକା, ଚଳଚ୍ଚିତ୍ର ସମ୍ବନ୍ଧିତ କିଛି ଲେଖା ସେଥିରେ ନିଶ୍ଚୟ ରହିଲା । ତାହା ବମ୍ବେରୁ ପ୍ରକାଶିତ ହାତଲେଖା ପତ୍ରିକା ‘କୁଙ୍କୁମ’ ହେଉ ବା କଲିକତାରୁ ପ୍ରକାଶିତ ‘ଆସନ୍ତାକାଲି’ ହେଉ ବା ହେଉ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’ ବା ମନୋଜ ଦାସଙ୍କ ସମ୍ପାଦିତ ‘ଦିଗନ୍ତ’ ବା ବଂଶୀଧର ଭୁୟାଁଙ୍କ ‘ଜନସାହିତ୍ୟ’ ।

ଲକ୍ଷ୍ୟ କରିବାର କଥାଯେ ୧୯୪୮ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ ମୁକ୍ତିଲାଭ ପରେ ସାହିତ୍ୟ ପତ୍ରିକା ‘କୁଙ୍କୁମ’ରେ ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କରେ ବିଶେଷ ସଂଯୋଜନା ସ୍ଥାନିତ ହେଲା ଓ ଏହି ଧାରା ପରେ ପରେ ଅନ୍ୟ ସାହିତ୍ୟ ପତ୍ରିକା ଦ୍ୱାରା ଅନୁସୃତ ହେଲା । ତତ୍କାଳୀନ ସାହିତ୍ୟ ପତ୍ରିକାରେ ଚଳଚ୍ଚିତ୍ର ପୃଷ୍ଠା ପାଇଁ ଚର୍ଚ୍ଚିତ ଥିଲେ ଅନ୍ତତଃ ତିନିଟି ପତ୍ରିକା: ଆସନ୍ତାକାଲି, ଜନସାହିତ୍ୟ ଓ ଦିଗନ୍ତ ।

‘ଆସନ୍ତାକାଲି’ର ଚଳଚ୍ଚିତ୍ର ପୃଷ୍ଠା ପାଇଁ ଲେଖୁଥିଲେ ଗାଳ୍ପିକ ଓ ଔପନ୍ୟାସିକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ‘ଦିଗନ୍ତ’ ପାଇଁ ଲେଖୁଥିଲେ ନିଜେ ସମ୍ପାଦକ ତଥା ଓଡ଼ିଆ ସାହିତ୍ୟର ପ୍ରଥିତଯଶା ଗାଳ୍ପିକ, ଔପନ୍ୟାସିକ ମନୋଜ ଦାସ ଏବଂ ‘ଜନସାହିତ୍ୟ’ ପାଇଁ ‘ବାଣୀଦୂତ’ ଛଦ୍ମନାମରେ ଲେଖୁଥିଲେ ବଂଶୀଧର ଭୁୟାଁ ଓ ଗଣେଶ ମହାପାତ୍ର ।

ଆପଣମାନେ ଜାଣନ୍ତି ଯେ ‘ଆସନ୍ତାକାଲି’ର ଚଳଚ୍ଚିତ୍ର ପୃଷ୍ଠା ପରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ପତ୍ରିକାର ରୂପ ନେଲା ଓ ଏହାର ସମ୍ପାଦକ ଥିଲେ ରାଜେନ୍ଦ୍ର ପ୍ରସାଦ ମହାପାତ୍ର । ଏହି ସ୍ତମ୍ଭରେ ପୂର୍ବରୁ ସେହି ଚଳଚ୍ଚିତ୍ର ପତ୍ରିକା ‘ସିନେମା’ର ସବିଶେଷ ଚର୍ଚ୍ଚା କରାଯାଇଛି । ସାହିତ୍ୟ ପତ୍ରିକା ‘ଦିଗନ୍ତ’ର ଚଳଚ୍ଚିତ୍ର ପୃଷ୍ଠା ମଧ୍ୟ ଅନୂରୁପ ଭାବରେ ଲୋକପ୍ରିୟ ଥିଲା, ନିଜେ ସମ୍ପାଦକ ମନୋଜ ଦାସ ଓଡ଼ିଆ ଚଳଚ୍ଚିତ୍ରର ସମୀକ୍ଷା କରୁଥିଲେ । ସେହି ପଚାଶ ଦଶକରେ ବଂଶୀଧର ଭୁୟାଁ ସମ୍ପାଦିତ ‘ଜନ ସାହିତ୍ୟ’ ଥିଲା ଅନ୍ୟତମ ଲୋକପ୍ରିୟ ସାହିତ୍ୟ ପତ୍ରିକା ।

ସମ୍ପାଦକ ବଂଶୀଧର ଭୁୟାଁ ଓଡ଼ିଶାର ଅନ୍ୟତମ ଔପନ୍ୟାସିକ ଭାବରେ ପାଠକୀୟ ସ୍ୱୀକୃତି ପାଇଥିଲେ, ଯଥେଷ୍ଟ ଖ୍ୟାତି ବି ଅର୍ଜିଥିଲେ । ତାଙ୍କ ରଚିତ ସାମଜିକ ଉପନ୍ୟାସ ‘ପ୍ରେମ ଓ ପ୍ରତିମା’, ଅସତ୍ୟ ସହର, ଘାତ ପ୍ରତିଘାତ, ଛାୟା ସଙ୍ଗିନୀ ଏବଂ ରହସ୍ୟଧର୍ମୀ ଉପନ୍ୟାସ ‘କାଳଫାଶ’ ସେହି ସମୟରେ ଚହଳ ପକାଇଥିଲା । ଏହି ଉପନ୍ୟାସତକ ପ୍ରକାଶ ପାଇଥିଲା ‘ଜନ ସାହିତ୍ୟ’ରେ । ‘ଜନ ସାହିତ୍ୟ’ ଥିଲା ଓଡିଶାର ପ୍ରଥମ ସାହିତ୍ୟ ପତ୍ରିକା ଯାହର ପ୍ରତି ସଂଖ୍ୟାରେ ଗୋଟିଏ ଉପନ୍ୟାସ ହିଁ କେବଳ ରହୁଥିଲା । ପ୍ରଥମେ ତାହାକୁ ‘ମାସିକ ଉପନ୍ୟାସ ସିରଜ୍‌’ ଆଖ୍ୟା ଦିଆଗଲା, ପରେ ଆଉ କେତେକ ସଂଖ୍ୟାରେ ଲେଖାଗଲା ‘ଏକମାତ୍ର ଉପନ୍ୟାସ ମାସିକ’ । ଗୋଟିଏ ଉପନ୍ୟାସ ପାଇଁ ଗୋଟିଏ ସଂଖ୍ୟା । କିନ୍ତୁ ସେଥିରେ ଦୁଇ ବା ତିନି ପୃଷ୍ଠା ଓଡ଼ିଆ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ପାଇଁ ନିଶ୍ଚୟ ରହୁଥିଲା ।

ବମ୍ବେରୁ ଅଧିକାଂଶ ଲେଖା ଲେଖୁଥିଲେ ଗଣେଶ ମହାପାତ୍ର ଏବଂ ଓଡ଼ିଆ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ କଥା ଲେଖୁଥିଲେ ନିଜେ ବଂଶୀଧର ଭୁୟାଁ । ୧୯୫୫ ମସିହା ଜୁନ୍ ମାସରୁ ‘ଜନସାହିତ୍ୟ’ ମାସିକ ପତ୍ରିକା ଭାବରେ ଆତ୍ମପ୍ରକାଶ କରି ସତୁରି ଦଶକର ମଧ୍ୟ ଭାଗ ପର୍ଯ୍ୟନ୍ତ ପ୍ରକାଶିତ ହେଉଥିଲା । ଅବଶ୍ୟ ଏହା ଭିନ୍ନ ପ୍ରସଙ୍ଗ ଯେ ପରେ ଏହା କେବଳ ଉପନ୍ୟାସ ମଧ୍ୟରେ ସୀମିତ ରହିଲା ନାହିଁ । ତେବେ ୧୯୬୨ ପର୍ଯ୍ୟନ୍ତ ପ୍ରକାଶିତ ମାସିକ ଉପନ୍ୟାସ ପତ୍ରିକା ‘ଜନସାହିତ୍ୟ’ରେ ତିନି ପୃଷ୍ଠାର ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ବିବରଣୀ ଏତେ ରୋଚକ ଥିଲାଯେ, ଚର୍ଚ୍ଚା ହେଉଥିଳା ଏହି ମାସିକ ତିନିପୃଷ୍ଠା, ଦୈନିକ ପ୍ରଜାତନ୍ତ୍ରର ସାପ୍ତାହିକ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ପୃଷ୍ଠା ‘ରୁପ ରସ ଛନ୍ଦ’ ସହ ସମାନ । ଏହି ଚର୍ଚ୍ଚାରୁ ଚଳଚ୍ଚିତ୍ର ପତ୍ରିକା ‘ଇନ୍ଦ୍ରଧନୁ’ର ଜନ୍ମ ।

ବଂଶୀଧର ଭୁୟାଁଙ୍କ ଲିପିକା ଛାପାଖାନାରେ ଛପା ହେଲା ମାସିକ ଚଳଚ୍ଚିତ୍ର ପତ୍ରିକା ‘ଇନ୍ଦ୍ରଧନୁ’, କଟକର ରପନ୍ ରୋଡ୍‌ରେ ଏହାର କାର୍ଯ୍ୟାଳୟ ଖୋଲାଗଲା । ସଂପାଦକ ହେଲେ ନିଜେ ପ୍ରକାଶକ ବଂଶୀଧର ଭୁୟାଁ, ସହକାରୀ ସମ୍ପାଦକ ହେଲେ ବମ୍ବେର ବାଣୀଦୂତ ବା ଗଣେଶ ମହାପାତ୍ର । ତେବେ ପତ୍ରିକାର ନାମ କେବଳ ‘ଇନ୍ଦ୍ରଧନୁ’ ନ ଥିଲା, ‘ଇନ୍ଦ୍ରଧନୁ’ ବଡ଼ ଅକ୍ଷରରେ ଛାପା ହେଉଥିଲା ଆଉ ତାହା ପୂର୍ବରୁ ଛୋଟ ଅକ୍ଷରରେ ଛପାଯାଉଥିଲା ‘ଓଡ଼ିଶାର ଏକମାତ୍ର ସଚିତ୍ର ମନୋରଞ୍ଜନ ପତ୍ରିକା’ । ‘ଇନ୍ଦ୍ରଧନୁ’ ପତ୍ରିକାରେ କେତେ ଛବି ଥିଲା ଓ କେମିତି ଥିଲା, କେତେ ‘ନବରଙ୍ଗ’ ଥିଲା ଓ ଥିଲା କେତେ ‘ତାଜା ଖବର’ ସେହି ଚର୍ଚ୍ଚା ଆଗାମୀ ସଂଖ୍ୟାରେ ଅବ୍ୟାହତ ରହିବ । ଏହ ସ୍ତମ୍ଭରେ ସ୍ଥାନିତ ହୋଇଛି ଦୁଇଟି ଛବି । ଗୋଟିଏ ‘ଇନ୍ଦ୍ରଧନୁ’ର ପ୍ରଚ୍ଛଦ ଏବଂ ଆରଟି ‘ଜନସାହିତ୍ୟ’ର ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ସ୍ତମ୍ଭ ସହିତ ଦୁଇଟି ସମ୍ପାଦକୀୟ ପୃଷ୍ଠାର କେଲାଜ୍‌, ଯାହା ପ୍ରମାଣ କରୁଛି ଜନସାହିତ୍ୟ’ ଥିଲା ମାସିକ ଉପନ୍ୟାସ ପତ୍ରିକା

Leave A Reply

Your email address will not be published.