ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ

ଆମ ଓଡିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶି ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା ବାନ୍ଧିଛି, ଅନ୍ୟ କେଉଁ ମନୋରଞ୍ଜନର ଭାଗ୍ୟ ସେମିତି ହୋଇନାହିଁ । ତାହା ଧାର୍ମିକ ଛଟାରେ ଥାଉ ଅବା ସାମାଜିକ ଧାରା ସହ ସଂପୃକ୍ତ ଥାଉ ‘ଚଳଚ୍ଚିତ୍ର’ ପରି ପ୍ରଭାବ  ଆଉ କାହାର ନାହିଁ।

ଅଥଚ ଆମ ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟର ଷାଠିଏ ଭାଗ ଆମେ ନଷ୍ଟ କରିସାରିଛୁ । ପଚାଶ, ଷାଠିଏ, ସତୁରି ଦଶକର ଅଧିକାଂଶ ଚଳଚ୍ଚିତ୍ରର ପ୍ରିଂଟ୍ ତ ନାହିଁ, ସେଥି ସମ୍ବନ୍ଧିତ କାଗଜପତ୍ର ବି ନାହିଁ । ଫଟୋ ନାହିଁ, ଦଲିଲ ନାହିଁ, ବୁକ୍‌ଲେଟ୍ ବା ଗୀତବହି ନାହିଁ. ସେନସର୍ ସାର୍ଟିଫିକେଟ ନାହିଁ! ‘ନାହିଁ’ ଅର୍ଥ ଏସବୁର ବ୍ୟବସ୍ଥିତ ଅଭିଲେଖ ନାହିଁ । ଥିଲେ ହୁଏତ ଥିବ ପ୍ରଯୋଜକଙ୍କ ଗୋଦାମ ଘରେ ଅଧା ନଷ୍ଟ ହୋଇ ଅବା ଗୀତବହି ଥିବ ଏକଦା ବିମୁଗ୍ଧ କେଉଁ ପାଠକର ବହି ପେଡ଼ି ବା ଥାକରେ!

ଏତେ ନାହିଁ ନାହିଁ ଭିତରେ ଯେଉଁଠାରୁ ଯାହା ମିଳିଛି ତାହାକୁ ବ୍ୟବସ୍ଥିତ ଢଙ୍ଗରେ ଅଭିଲେଖ କଲାବେଳକୁ କିଛିକିଛି  ଅଦ୍ଭୁତ ଏବଂ ଚକିତ କଲାଭଳି ତଥ୍ୟ ସାମ୍ନାକୁ କେବେକେବେ ଆସିଛି ଏବଂ ସେହି ଉଲ୍ଲାସରୁ ଆରମ୍ଭ ହୋଇଛି ଏହି ସ୍ତମ୍ଭ ରଚନା । ଏହା ଓଡ଼ିଆ ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଦିଗକୁ ସୂଚୀତ କରେ । ସୂଚୀତ କରେ ଯେ ଜମାରୁ ତିନିଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପରେ ହିଁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ପ୍ରକାଶନ ଓ ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ସର୍ବଭାରତୀୟ ସ୍ତରରେ ଏହା ଏକ ସ୍ତମ୍ଭ! ଅଥଚ ଏହି ଦିଗ ପ୍ରତି ଆମେ ଓଡ଼ିଆମାନେ ଅଧିକ ଉଦାସୀନ!

ସର୍ବଭାରତୀୟ ସ୍ତରରେ ଚଳଚ୍ଚିତ୍ର ପତ୍ରିକାର ଉଦ୍ଭବ ବେଶି ବର୍ଷର ନୁହେଁ । ଅବଶ୍ୟ ଯେବେ ସବାକ୍ ଛବି ଆସି ନଥିଲା, ସେବେ ହିଁ ଆସିସାରିଥିଲା ଚଳଚ୍ଚିତ୍ର ପତ୍ରିକା । ୧୯୨୦ ମସିହାରେ ବଙ୍ଗଳା ସାପ୍ତାହିକ ପତ୍ରିକା ‘ବିଜୁଳି’  ପ୍ରକାଶନ ସହ  ଭାରତରେ ଚଳଚ୍ଚିତ୍ର ପତ୍ରିକାର ଜନ୍ମ, ତେଜେ ଏଥିରେ ସାହିତ୍ୟ ବି ଥିଲା, ଖେଳକୁଦ ବି ଥିଲା ଆଉ ଚଳଚ୍ଚିତ୍ର ବେଶୀ ରହୁଥିଲା  ।  ୧୯୨୪ରେ,  କେବଳ ଚଳଚ୍ଚିତ୍ରକୁ  ଉତ୍ସର୍ଗୀକୃତ ଭାରତର ପ୍ରଥମ ପତ୍ରିକା ‘ମୋଜ୍ ମାଜା’ ପ୍ରକାଶିତ ହେଲା  ବମ୍ବେରୁ, ଭାଷା ଥିଲା  ଗୁଜୁରାଟୀ ଏବଂ ପ୍ରକାଶକ ଓ ସମ୍ପାଦକ ଥିଲେ ଜେ।. ଦ୍ୱିବେଦୀ । ୧୯୨୬ରେ କୋଲକାତାରେ ‘ଫଟୋ ପ୍ଲେ’ ପରି ଅନ୍ୟ ଚଳଚ୍ଚିତ୍ର ପତ୍ରିକା ଆରମ୍ଭ ବେଳେ ୧୯୨୭  ମସିହାରେ ମାଡ୍ରାସ୍  ଏବଂ ବମ୍ବେରେ ‘ମୁଭି ମିରର’ ଏବଂ  ‘କିନେମା’ ପ୍ରକାଶିତ ହେଲା । ୧୯୨୯ରେ ନାଗିନ ଲାଲ ଶାହାଙ୍କ ସମ୍ପାଦିତ ଗୁଜୁରାଟୀ ଚଳଚ୍ଚିତ୍ର ପତ୍ରିକା ‘ଚିତ୍ରାପଟ’ ବମ୍ବେରୁ ପ୍ରକାଶିତ ହେଲା । ପରବର୍ତ୍ତୀ ବର୍ଷ ଶୈଳଜା ନନ୍ଦ ମୁଖାର୍ଜୀ ବଙ୍ଗଳା ଚଳଚ୍ଚିତ୍ର ସାପ୍ତାହିକ ‘ବାୟୋସ୍କୋପ୍’ ଆରମ୍ଭ କଲେ। ଅବିନାଶ ଚନ୍ଦ୍ର ଘୋଷାଲଙ୍କ ସମ୍ପାଦିତ  ବଙ୍ଗାଳୀ ଚଳଚ୍ଚିତ୍ର ପତ୍ରିକା ‘ସାପ୍ତାହିକ ବାତାୟନ’ ଏବଂ ବିଭୂତି ଭୂଷଣଙ୍କ  ସମ୍ପାଦିତ ଚିତ୍ରାଲେଖା ୧୯୩୧ରେ ଉନ୍ମୋଚିତ ହୋଇଥିଲା। ସେହି ବର୍ଷ ସାପ୍ତାହିକ ଆଉ ଏକ ବଙ୍ଗଳା ଚଳଚ୍ଚିତ୍ର ସାପ୍ତାହିକ ରୁପଲେଖା ମଧ୍ୟ ପ୍ରକାଶିତ ହେଲା ।

୧୯୩୫ରେ ବାବୁରା ପଟେଲଙ୍କ ଦ୍ୱାରା ବମ୍ବେରୁ ପ୍ରକାଶିତ ହେଲା ପ୍ରଥମ ଇଂରାଜୀ ଛବିଳ ଚଳଚ୍ଚିତ୍ର ପତ୍ରିକା ‘ଫିଲ୍ମ ଇଣ୍ଡିଆ’ । ଚମତ୍କାର ପରିପାଟୀ, ଉନ୍ନତ ମୁଦ୍ରଣ, ରଙ୍ଗୀନ ଛବି,ସହ ଚଳଚ୍ଚିତ୍ର ସମୀକ୍ଷା ଓ ସମ୍ବାଦ ପାଇଁ ଲୋକପ୍ରିୟ ଥିଲା ‘ଫିଲ୍ମ ଇଣ୍ଡିଆ’` ୧୯୬୧  ପର୍ଯ୍ୟନ୍ତ  କ୍ରମାଗତ ପ୍ରକାଶିତ ହେଉଥିଲା। ଭାରତୀୟ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲା ‘ଫିଲ୍ମ ଇଣ୍ଡିଆ’ ଓ ଏହାଦ୍ୱାରା ତତ୍କାଳୀନ ସବୁ ଚଳଚ୍ଚିତ୍ର ପତ୍ରିକା ପ୍ରଭାବିତ ହୋଇଥିଲେ। ସେହିବର୍ଷ ପି.ସି. ଚଟିଆର୍ ଦ୍ୱାରା ସମ୍ପାଦିତ ତଥା ପ୍ରକାଶିତ ପ୍ରଥମ ତାମିଲ୍ ଚଳଚ୍ଚିତ୍ର ପତ୍ରିକା ‘ସିନେମା ଉଲାଗମ୍’ ଉନ୍ମୋଚିତ ହଲା। ୧୯୩୮  ମସିହାରେ ଇଣ୍ଡିଆନ୍ ସ୍କ୍ରିନ୍ ଗେଜେଟ୍ ଆରମ୍ଭ ହେଲା । ପରବର୍ତ୍ତୀ ବର୍ଷରେ ବମ୍ବେରେ ‘ଫିଲ୍ମ ଇଣ୍ଡଷ୍ଟ୍ରି’ ନାମକ ଏକ ପତ୍ରିକା ଆରମ୍ଭ ହୋଇଥିଲା | ସୁଦର୍ଶନସୁ ବସୁ ୧୯୫୧ରେ ଏକ ବଙ୍ଗଳା ଚଳଚ୍ଚିତ୍ର ସାପ୍ତାହିକ ରୂପଞ୍ଜଳି ଆରମ୍ଭ କଲେ। ଇଣ୍ଡିଆନ୍ ଏକ୍ସପ୍ରେସ ଗ୍ରୁପ୍ ଏହାର ଚଳଚ୍ଚିତ୍ର ଆଧାରିତ ସାପ୍ତାହିକ ଖବରକାଗଜ ସ୍କ୍ରିନ ଆରମ୍ଭ କରିଥିଲା ସେହି ବର୍ଷ ।

ସେହି ୧୯୫୧ରେ ଯେତେବେଳେ ଜମାରୁ ତିନିଟି ଓଡ଼ିଆ ଫିଲ୍ମ ସେ ପର୍ଯ୍ୟନ୍ତ ବଜ଼ାରକୁ ଆସିଛି, ଓଡ଼ିଆ ଚଳଚ୍ଚିତ୍ରର ପ୍ରସାରଣ ଏତେ ନାହିଁ, ଫିଲ୍ମ ହଲ ସଂଖ୍ୟା ଓଡ଼ିଶାରେ ମାତ୍ର ୨୮  ଓ ବେଶୀ ଭରସା ଟୁରିଙ୍ଗ ଫିଲ୍ମ ହଲ ଉପରେ, ସେତେବେଳେ ବ୍ରହ୍ମପୁରରୁ ପ୍ରକାଶିତ ହେଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା :ସିନେ ଓଡିଶା’ । କାଳିଚରଣ ତ୍ରିପାଠୀଙ୍କ ସମ୍ପାଦନାରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶିତ ହେଲା ମେଷ ସଂକ୍ରାନ୍ତିରେ, ଏପ୍ରିଲ ୧୯୫୧ରେ। ଦାମ ଛ ଅଣା, ପୃଷ୍ଠା ସଂଖ୍ୟା ୨୮। ଛପା ହୋଇଥିଲା ନେସନାଲ ପ୍ରିଣ୍ଟିଂଗ ପ୍ରେସ, ବ୍ରହ୍ମପୁରରେ। ପ୍ରଥମ ସଂଖ୍ୟା ପ୍ରଚ୍ଛଦରେ ଥିଲା  ମଧୁବାଲାଙ୍କ ଛବି। ଏଠୁ ତିଆରି ହେଲା ଓଡ଼ିଆର ଜାତକ। ସେଥିରେ ଆଉ ଯାହା ଯାହା ଥିଲା ତାହାର ଚର୍ଚ୍ଚା ଆପଣମାନଙ୍କୁ ଆମୋଦିତ କରିବା ନିଶ୍ଚୟ । ଆର ସପ୍ତାହ ଯାଏ ଅପେକ୍ଷା କରନ୍ତୁ! …