Latest Odisha News

BREAKING NEWS

ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା

ଚେନ୍ନାଇ: ତାମିଲନାଡୁର ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ସପ୍ତାହରେ ଗୋଟିଏ ଦିନ ଚିକେନ୍ ବିରିଆନି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ତାମିଲନାଡୁ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ରାଜ ମୋହନ କହିଛନ୍ତି ଯେ, ସ୍କୁଲରେ ପିଲାମାନେ ଯେପରି ସ୍ୱାଦିଷ୍ଟ ଓ ପୌଷ୍ଟିକ ଚିକେନ୍ ବିରିଆନି ଖାଇପାରିବେ, ତାହା ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କର ଅନ୍ୟତମ ବିଶେଷ ଇଚ୍ଛା।

ମନ୍ତ୍ରୀ ରାଜ ମୋହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଜେଲରେ ଥିବା କଏଦୀମାନଙ୍କୁ ଯଦି ଚିକେନ୍ ବିରିୟାନି ଦିଆଯାଇପାରୁଛି, ତେବେ ଆମ ସ୍କୁଲର କୋମଳମତି ଶିଶୁମାନେ କାହିଁକି ଏଥିରୁ ବଞ୍ଚିତ ହେବେ?” ତେବେ ଏହାକୁ ତୁରନ୍ତ ସମଗ୍ର ରାଜ୍ୟରେ ଲାଗୁ ନକରି ପ୍ରଥମେ ଏକ ‘ପାଇଲଟ୍ ପ୍ରୋଜେକ୍ଟ’ ଭାବେ କିଛି ନିର୍ଦ୍ଦିଷ୍ଟ ସ୍କୁଲରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ସ୍ୱାସ୍ଥ୍ୟକର ପରିବେଶ, ଖାଦ୍ୟର ଗୁଣବତ୍ତା, ପରିଚ୍ଛନ୍ନତା ଏବଂ ସୁରକ୍ଷିତ ରୋଷେଇ ବ୍ୟବସ୍ଥାର ସମୀକ୍ଷା କରାଯିବା ପରେ ଏହାକୁ ସମଗ୍ର ରାଜ୍ୟରେ ବିସ୍ତାର କରାଯିବ।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ପିଲାମାନଙ୍କ ଶରୀର ପାଇଁ ପ୍ରଚୁର ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ତାମିଲନାଡୁରେ ଶିକ୍ଷା ବିପ୍ଲବ ସହିତ ସଦାସର୍ବଦା ପୋଷଣ ବିପ୍ଲବ ଯୋଡ଼ି ହୋଇ ରହିଆସିଛି। ଯେଉଁ ଛାତ୍ରଛାତ୍ରୀମାନେ ନିରାମିଷାଶୀ, ସେମାନଙ୍କ ପାଇଁ ନିରାମିଷ ଭୋଜନ ବ୍ୟବସ୍ଥା ପୂର୍ବପରି ଜାରି ରହିବ। କେବଳ ଆମିଷ ଖାଉଥିବା ପିଲାଙ୍କୁ ହିଁ ଚିକେନ୍ ବିରିଆନି ଦିଆଯିବ। ଏହି ପଦକ୍ଷେପକୁ ରାଜନୈତିକ ଦୃଷ୍ଟିକୋଣରୁ ନଦେଖି ପିଲାଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।

Comments are closed.