Latest Odisha News

BREAKING NEWS

ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ; ୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ । ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି ।

ଉଦଘାଟିତ ହୋଇଥିବା ଟିଚିଂ ହସ୍‌ପିଟାଲ ଗୁଡିକ ମଧ୍ୟରେ ବଲାଙ୍ଗିରରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବାରିପଦାରେ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲ, ସୁନ୍ଦରଗଡରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ, କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀ ଧର ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ ଓ ବାଲେଶ୍ୱରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ ।

ଏଥି ସହିତ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରରେ ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ଦିଗରେ ଏଗୁଡିକ ହେଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆଜି ଦିନଟି ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହୋଇ ରହିବ । ଆଜି ଗୋଟିଏ ଦିନରେ ୫ଟି ମେଡିକାଲ କଲେଜ ହସ୍ପିଟାଲରେ ୨ ହଜାର ୯୫୦ ଶଯ୍ୟା ଯୋଡି ହେଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ବଲାଙ୍ଗିର ରୁ ବାରିପଦା, ସୁନ୍ଦରଗଡ ରୁ କେନ୍ଦୁଝର ଓ ବାଲେଶ୍ୱର ସବୁ ଅଞ୍ଚଳର ଜନସାଧାରଣ ଏହା ଦ୍ୱାରା ଉପକାର ପାଇବେ । ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି । ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଦିନ ଥିଲା ଓଡିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ଗଢି ଉଠିଛି । ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ମଧ୍ୟ ହେବାକୁ ଯାଉଛି । ପ୍ରତି ବର୍ଷ ଡାକ୍ତର ଓ ପାରାମେଡିକ୍‌ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି । ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମବିବିଏସ୍‌ ଡାକ୍ତର ଓ ୨୫୪ ଜଣ ସ୍ପେଶିଆଲିଷ୍ଟ ବାହାରୁ ଥିଲେ । ଏବେ ୨୫୨୫ ଏମବିବିଏସ୍‌ ଡାକ୍ତର ଓ ୯୭୨ ସ୍ପେସିଆଲିଷ୍ଟ ବାହାରୁଛନ୍ତି’ ।

ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ, ‘ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛୁ । ସରକାରୀ ଡାକ୍ତରଖାନାଗୁଡିକରେ ନୂଆ ନୂଆ ଚିକିତ୍ସା ସୁବିଧାର ମଧ୍ୟ ବିକାଶ କରାଯାଉଛି । ଧନୀ ଗରୀବ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାଗୁଡିକରେ ମାଗଣା ଚିକିତ୍ସା ସୁବିଧା ମିଳୁଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏ ରୂପାନ୍ତରକୁ ଆମେ ସମସ୍ତେ ମିଶି ଆହୁରି ଆଗକୁ ନେବା ଓ ‘ସୁସ୍ଥ ଓଡିଶା ସୁଖୀ ଓଡିଶା ଜରିଆରେ ନୂଆ ଓଡିଶାର ଭିତ୍ତିକୁ ମଜବୁତ କରିବା ବୋଲି ସେ କହିଥିଲେ’।

Leave A Reply

Your email address will not be published.