Latest Odisha News

BREAKING NEWS

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡ଼ାକ୍ତରଙ୍କ ପ୍ରଚେଷ୍ଟା ଓ ଚିକିତ୍ସା ଓ ଅସ୍ତ୍ରୋପଚାର ଦ୍ୱାରା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି ।

କେନ୍ଦୁଝର ଅଂଚଳର ଏହି ଶିଶୁଟିର ଜଟିଳ ହୃଦ ସମସ୍ୟା ଥିବା ଯୋଗୁ ସେ ଠିକ୍ ଭାବେ ସେ ତାର ଖାଦ୍ୟ ଗ୍ରହଣ କରି ପାରୁନଥିଲା । ତାର ଓଜନ ଖୁବ୍ କମ୍ ଥିଲା ଏବଂ ସେ କୌଣସି ଶାରିରୀକ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରୁନଥିଲା । ତାର ପିତାମାତା ଅନେକ ହସ୍ପିଟାଲରୁ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲ ଆସିଥିଲେ । ଏଠାରେ ପ୍ରଥମେ କାର୍ଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କୁମାର ଗୌରବ ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ ।

ପରୀକ୍ଷାରୁ ଝିଅଟିରେ ହାର୍ଟରେ ଛିଦ୍ର ଅର୍ଥାତ୍ ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ଭିଟିଏସ) ଥିବା ସହ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିବାର ଜାଣିବାକୁ ପାଇଥିଲେ । ଏହି ସମସ୍ୟା ଯୋଗୁ ତାର ଶରୀରରେ ଅମ୍ଳଜାନ ସ୍ତର ମାତ୍ର ୬୦-୬୫ ରହୁଥିଲା ବୋଲି ଡ଼ାକ୍ତର କୁମାର ଗୌରବ କହିଛନ୍ତି ।

ଶିଶୁଟିର ଅବସ୍ଥା ସଂକଟାପନ୍ନ ଦେଖି ସେ ତୁରନ୍ତ କାର୍ଡିଓଲୋଜି ବିଭାଗର ସିଟିବିଏସ ସର୍ଜନ ଡ଼ାକ୍ତର ସଂଗ୍ରାମ କେଶରୀ ବେହେରାଙ୍କ ନିକଟକୁ ପଠାଇଥିଲେ । ଡାକ୍ତର ବେହେରା ଓ ତାଙ୍କ ଟିମ୍ ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ । ଏହି ବିରଳ ଅସ୍ତ୍ରୋପଚାର ଦ୍ୱାରା ତା ହାର୍ଟରେ ଥିବା ଛିଦ୍ରଟିକୁ ବନ୍ଦ କରିଦେବା ସହ ଫୁସଫୁସକୁ ସ୍ୱଚ୍ଛ ରକ୍ତ ସଂଚାଳନ କରୁଥିବା ଧମନୀ, ଯାହାକି ବନ୍ଦ ହୋଇଯାଇଥିଲା ସେ ରାସ୍ତାକୁ ସଫା କରିବା ସହ ଉନ୍ମୁକ୍ତ କରିଦେଇଥିଲେ । ଯାହା ଫଳରେ ଶିଶୁଟି ନିଶ୍ୱାସ ନେବାରେ ଆଉ କୌଣସି ସମସ୍ୟା ହୋଇ ପାରିନଥିଲା ଏବଂ ସେ ସୁସ୍ଥ ହୋଇପାରିଥିଲା ।

ବର୍ତ୍ତମାନ ଶିଶୁଟି ସୁସ୍ଥ ଅଛି ଏବଂ ଖୁବ୍ ଶିଘ୍ର ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଯିବ ବୋଲି ମଙ୍ଗଳବାର ସମ୍ ହସ୍ପିଟାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଡିଓଲୋଜି ବିଭାଗର ଡାକ୍ତର କୁମାର ଗୌରବ, ଡାକ୍ତର ସଂଗ୍ରାମ କେଶରୀ ବେହେରା, ଡ଼ାକ୍ତର ଦେବସ୍ମିତା ରଥ ଓ ଡ଼ାକ୍ତର ଅନୁସ୍ପନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.