Latest Odisha News

ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇଲା ଚୀନ

ନୂଆଦିଲ୍ଲୀ: ଏଲଏସିକୁ ନେଇ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଡ୍ରାଗନ ତା ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତିନିଥର ଏଭଳି ନାଁ ପରିବର୍ତ୍ତନ କଲାଣି । ଏହା ପୂର୍ବରୁ ୨୦୨୧ରେ ଚୀନ ୧୫ଟି ସ୍ଥାନର ନାଁ ବଦଳାଇଥିବା ବେଳେ ୨୦୧୭ରେ ୬ଟି ଜାଗାର ନାଁ ପରିବର୍ତ୍ତନ କରିଥିଲା ।

ଚୀନର ଏ କାରନାମା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖି କହିଛି, ଚୀନ ଆଗରୁ ଏଭଳି କରିଛି । ଆମେ ଏଭଳି ନାମକରଣକୁ ଖାରଜ କରୁଛୁ । ଅରୁଣାଚଳ ପ୍ରଦେଶ ଭାରତର ଅଂଶ ଥିଲା, ଅଛି ଓ ରହିବ । ଏଭଳି ନାମ ପରିବର୍ତ୍ତନ କଲେ ବାସ୍ତବ ଚିତ୍ର କେବେ ବଦଳିବ ନାହିଁ ।

ଅରୁଣାଚଳ ପ୍ରଦେଶକୁ ଭାରତର ଏକ ରାଜ୍ୟ ବୋଲି ମାନୁ ନଥିବା ଚୀନ ଇଟାନଗର ନିକଟରେ ଥିବା ଅଞ୍ଚଳର ନାମ ପରିବର୍ତ୍ତନ କରିଛି । ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି ଡ୍ରାଗନ ଦାବି କରୁଛି । ଚୀନର ଅଭିଯୋଗ ହେଉଛି, ତିବ୍ବତର ଅଂଶକୁ ଭାରତ କବଜା କରି ଅରୁଣାଚଳ ପ୍ରଦେଶ କହୁଛି ।

ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସ ଅନୁସାରେ, ସୋମବାର ଚୀନର ସିଭିଲ୍ ଆଫେୟର ମିନିଷ୍ଟ୍ରୀ ୧୧ଟି ସ୍ଥାନର ନାଁ ପରିବର୍ତ୍ତନକୁ ଅନୁମୋଦନ ଦେଇଛି । ଏହି ସମସ୍ତ ଅଞ୍ଚଳ ଚୀନର ଦକ୍ଷିଣରେ ଅବସ୍ଥିତ ସିଜିୟାଙ୍ଗରେ ଆସେ । ଏଥିରେ ୪ଟି ଅଞ୍ଚଳରେ ଜନବସତି ରହିଥିବା ବେଳେ ଗୋଟିଏ ସ୍ଥାନ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରର ଅତି ନିକଟରେ । ୫ଟି ପାହାଡ଼ିଆ ଅଞ୍ଚଳ ଓ ୨ଟି ନଦୀ ଅଞ୍ଚଳର ନାଁ ବଦଳାଇଛି ଚୀନ । ଏସବୁ ଅଞ୍ଚଳର ନାଁ ଚୀନ ତିବ୍ବତି ଭାଷାରେ ନାମିତ କରିଛି ।

ଚୀନର ଏଭଳି କାରନାମାକୁ ନେଇ ବିରୋଧୀ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ୨୦୨୦ ଜୁନରୁ ପ୍ରଧାନମନ୍ତ୍ରୀ ଚୀନକୁ କ୍ଲିନଚିଟ୍ ଦେଇ ଦେଇଥିଲେ । ଏବେ ଆମକୁ ସେ ସବୁର ମୂଲ୍ୟ ଦେବାକୁ ପଡ଼ୁଛି ।

କେମିତି ବଦଳେ ନାଁ ?

ଯଦି କୌଣସି ଦେଶ କୌଣସି ସ୍ଥାନର ନାଁ ପରିବର୍ତ୍ତନ କରେ ତ ୟୁଏନ୍ ଗ୍ଲୋବାଲ ଜିୟୋଗ୍ରାଫିକ ଇନଫରମେସନ୍ ମ୍ୟାନେଜମେଣ୍ଟ ପ୍ରଥମେ ସୂଚନା ଦେବା ଆବଶ୍ୟକ । ଏହାପରେ, ୟୁଏନ୍ ଜିୟୋଗ୍ରାଫିକ୍ ଏକ୍ସପର୍ଟ ଉକ୍ତ ଅଞ୍ଚଳକୁ ଯାଇ ପ୍ରସ୍ତାବିତ ନାଁର ଯାଞ୍ଚ କରିଥାନ୍ତି । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ତଥ୍ୟ ଠିକ୍ ଥିଲେ ନାମ ପରିବର୍ତ୍ତନ ପାଇଁ ଅନୁମୋଦନ ଦିଆଯାଇ ରେକର୍ଡରେ ସାମିଲ୍ କରାଯାଇଥାଏ ।

Leave A Reply

Your email address will not be published.