ଦିନନାଥ ପାଠୀଙ୍କ ସମ୍ପାଦିତ “ଚିତ୍ରଶାସ୍ତ୍ର”, ଓଡିଶୀ ଚିତ୍ରକଳାର ପ୍ରାଚୀନ ବ୍ୟାକରଣ

 

ବହି- ଚିତ୍ରଶାସ୍ତ୍ର, ପାମ ଲିଫ ମାନ୍ୟୁସ୍କ୍ରିପ୍ଟ ଫ୍ରମ ଓଡିଶା

ଲେଖକ-ଏବରହାର୍ଡ ଫିଶର-ଦିନନାଥ ପାଠୀ

ପ୍ରକାଶକ- ମ୍ୟୁଜିୟମ ରିଟବର୍ଗ, ଜୁରିକ, ସୁଇଜରଲାଣ୍ଡ ଏବଂ ଆଲିସ ବୋନର ଫାଉଣ୍ଡେସନ, ବାରାଣସି

ପୃଷ୍ଠା-୯୪, ପ୍ରକାଶକାଳ- ୨୦୨୦

——————————————————————————

 

ଓଡିଶାରେ ଚିତ୍ରକଳାର ଇତିହାସକୁ ନେଇ ଖୁବ ବେଶୀ ଚର୍ଚ୍ଚା-ଆଲୋଚନା ହୁଏନାହିଁ। ଏ ସମ୍ପର୍କରେ ସର୍ବାଧିକ ଉତ୍ସାହ ଏବଂ ଅଧ୍ୟୟନ ପ୍ରଦର୍ଶନ କରିଥିବା ଶିଳ୍ପୀ ଥିଲେ ଡକ୍ଟର ଦିନନାଥ ପାଠୀ (୧୯୪୨-୨୦୧୬)। ଶ୍ରୀଯୁକ୍ତ ପାଠୀ କେବଳ ଚିତ୍ରଶିଳ୍ପୀ ନଥିଲେ, ସେଥିଲେ ଓଡିଶାର ସର୍ବମାନ୍ୟ କଳା ସମୀକ୍ଷକ ଓ ଐତିହାସିକ। ତାଙ୍କର ଘନିଷ୍ଠ ବନ୍ଧୁ ତଥା ସୁଇଜରଲାଣ୍ଡର ପ୍ରସିଦ୍ଧ କଳା ଐତିହାସିକ ଡକ୍ଟର ଏବରହାର୍ଡ ଫିଶରଙ୍କ ମିଳିତ ଉଦ୍ୟମରେ ଓଡିଶାର ଚିତ୍ରକଳା, ସ୍ଥାପତ୍ୟ ଓ ବାସ୍ତୁକଳାକୁ ନେଇ ଅନେକ ଗବେଷଣା ପ୍ରକଳ୍ପ ଗତ ତିନି ଦଶନ୍ଧି ବ୍ୟାପୀ ହୋଇଛି। ଡକ୍ଟର ପାଠୀଙ୍କ ମୃତ୍ୟୁର ୪ ବର୍ଷ ପରେ ପ୍ରଫେସର ଫିଶରଙ୍କ ସହିତ ସେ ଲେଖିଥିବା ଶେଷ ବହିଟି ଇତିମଧ୍ୟରେ ପ୍ରକାଶ ପାଇଛି। ଜୁରିକ ସ୍ଥିତ ପ୍ରସିଦ୍ଧ ରିଟବର୍ଗ ମ୍ୟୁଜିୟମ ଦ୍ଵାରା ପ୍ରକାଶିତ ଏ ବହିଟି ଗୋଟେ ନୂଆ ଇତିହାସ ତିଆରି କରିଛି। ଭାରତରେ ଚିତ୍ରସୂତ୍ର ବା ଚିତ୍ର ଶାସ୍ତ୍ରର ସଂଖ୍ୟା ଯଥେଷ୍ଟ କମ। ମୋଟାମୋଟି ତିନୋଟି ପୁରାତନ ଶାସ୍ତ୍ରରେ ଚିତ୍ରର ଗଠନ ଓ ବ୍ୟାକରଣକୁ ନେଇ ଆଲୋଚନା ହୋଇଛି। ନଗ୍ନଜିତଙ୍କର “ଚିତ୍ର ଲକ୍ଷଣ”, ଶ୍ରୀକୂର୍ମଙ୍କର “ଚିତ୍ର ରତ୍ନ” ଏବଂ ବିଷ୍ଣୁ ଧର୍ମୋତ୍ତର ପୁରାଣର “ଚିତ୍ର ସୂତ୍ର”କୁ ବାଦ ଦେଲେ ଅଧିକ କିଛି ପୁରାତନ ଚିତ୍ର ଶାସ୍ତ୍ର ଆମର ମିଳେନାହିଁ। ସେହି ଦୃଷ୍ଟିରୁ ଓଡିଆ ଅକ୍ଷରରେ ଲିଖିତ ସଂସ୍କୃତ ଭାଷାରେ ରଚିତ ଏହି “ଚିତ୍ର ଶାସ୍ତ୍ର” ଟି ଚିତ୍ରକଳାର ଇତିହାସରେ ଏକ ନୂଆ ଅଧ୍ୟାୟ ବୋଲି କହିପାରିବା।

ଏହି ଚିତ୍ର ପୋଥିଟି ୧୯୫୭ ମସିହାରେ ପ୍ରସିଦ୍ଧ ସୁଇସ ଚିତ୍ରଶିଳ୍ପୀ ଓ କଳା ବିଦୁଷୀ ଏଲିସ ବୋନର(୧୮୮୯-୧୯୮୧) ପୁରୀରୁ ସଂଗ୍ରହ କରିଥିଲେ। ଏଲିସଙ୍କର ଘନିଷ୍ଠ ସହଯୋଗୀ ତଥା ପ୍ରସିଦ୍ଧ ସଂସ୍କୃତ ପଣ୍ଡିତ ସଦାଶିବ ରଥ ଶର୍ମା ତାଙ୍କୁ ଏହି ପୋଥି ଦେଇଥିଲେ। ଐତିହାସିକ ଦୃଷ୍ଟିରୁ ପଣ୍ଡିତ ରଥ ଶର୍ମା ଦେଇଥିବା ଅନେକ ପୋଥିକୁ ନେଇ ପରବର୍ତ୍ତୀ ସମୟରେ ପ୍ରଶ୍ନ ଉଠିଛି। ଅନେକ ପୋଥି ନୂଆ କରି ଲେଖା ହୋଇଥିବା ଓ ଏହାର ପ୍ରାଚୀନତା ସନ୍ଦେହଜନକ ବୋଲି ଐତିହାସିକମାନେ କହିଛନ୍ତି। ତେଣୁ “ଚିତ୍ର ଶାସ୍ତ୍ର” ପୋଥିର ସମ୍ପାଦନ ଓ ପ୍ରକାଶନ କାଳରେ ଏହାର ଯଥାର୍ଥତାକୁ ନେଇ ଢେର ମନ୍ଥନ କରା ଯାଇଛି। ଡକ୍ଟର ଫିଶର ଏହାକୁ ବାରମ୍ବାର ପରୀକ୍ଷା ନିରୀକ୍ଷା କଲାପରେ, ଚିତ୍ର ଶାସ୍ତ୍ରର ମୌଳିକ ତଥ୍ୟ ସମ୍ବଳିତ ଏହା ଏକ ବିଶେଷ ପୋଥି ବୋଲି ଗ୍ରହଣ କରିଛନ୍ତି।

ପୁରୀ ତଥା ଓଡିଶାର ପଟ୍ଟଚିତ୍ର ପରମ୍ପରା କେବଳ କୌଳିକ ନୁହେଁ, ଏହାର ଏକ ଶାସ୍ତ୍ରୀୟ ଆଧାର ଥିବା କଥା ଏହି ପୋଥି ରେ ପ୍ରମାଣିତ ହୋଇଛି। ଚିତ୍ର ନିର୍ମାଣ ପରମ୍ପରାରେ ରେଖା, ରଙ୍ଗ, ଭଙ୍ଗ, ଭଙ୍ଗୀ, ଚାହାଣୀ ଓ ଚମକକୁ ଏଥିରେ ବିସ୍ତ୍ରୁତ ଆଲୋଚନା କରା ଯାଇଛି। ସଂସ୍କୃତରେ ପୋଥି ଟି ଲେଖା ଯାଇଥିଲେ ମଧ୍ୟ ଏଥିରେ ଓଡିଆ ଚିତ୍ର ପରମ୍ପରାର କେତେକ ବିଶେଷ କୌଶଳର ବର୍ଣ୍ଣନା ରହିଛି। ଯେମିତିକି “ଛାମୁ ମୁଖ”ବା “ଆଡ ମୁଖ”। ଏହା ଆଦୌ ସଂସ୍କୃତ ଅଭିବ୍ୟକ୍ତି ନୁହେଁ। ଓଡିଆ ଚିତ୍ର କଳା ଓ ନୃତ୍ୟ ପରମ୍ପରାର ଭଙ୍ଗୀକୁ ନେଇ ୧୨ଟି ଲକ୍ଷଣ ଏଥିରେ ବର୍ଣ୍ଣିତ। ପୋଥିର ଭାଷା ଓଡିଆ ମିଶା ସଂସ୍କୃତ। ଉଦାହାର ସ୍ଵରୂପ-

ଏ ପଟ୍ଟଚିତ୍ର ନିର୍ଣ୍ଣୟମ ।

ପ୍ରଥମ ରେଖା ନିର୍ଣ୍ଣୟ।

ଦଣ୍ଡାୟମାନ ମୂର୍ତ୍ତିଷୁ ଷଡଭେଦ।

ଚିତ୍ରରେ ମୂର୍ତ୍ତି ଭେଦ କହିବାକୁ ଯାଇ ଦ୍ଵିଭଙ୍ଗ, ତ୍ରୀଭଙ୍ଗ, ସମ ତ୍ରୀଭଙ୍ଗ, ବକ୍ରକ, ସମ, କୁଟୀଳ, କ୍ଷିପ୍ତ, ବହୁଭଙ୍ଗ ଓ ଦଣ୍ଡ ଉଗ୍ର ଭଙ୍ଗୀର ବିନ୍ୟାସ କଥା କୁହା ଯାଇଛି।  ୧୯ଟି ତାଳପତ୍ର ଖେଦାର ଉଭୟ ପାଖରେ ଏହା ରଚିତ। ସଂସ୍କୃତ ପାଠ ସହିତ ସମ୍ପୃକ୍ତ ଚିତ୍ରକୁ ମଧ୍ୟ ପୋଥିକାର ଖୋଦେଇ କରିଛନ୍ତି। ଏ ବହିର ସମ୍ପାଦନା ସମୟରେ ପୋଥିର ମୂଳ ଚିତ୍ର, ରୋମାନ ଏବଂ ଦେବନାଗରୀ  ଲିପି ରେ ମୂଳ ପାଠ, ତାର ଅନ୍ଵୟ ଏବଂ ଇଂରାଜୀ ଅନୁବାଦ ଏକା ସାଙ୍ଗରେ ଗତିଶୀଳ। ପ୍ରତ୍ୟେକ ଶ୍ଳୋକ ଓ ଚିତ୍ରକୁ ନେଇ ଇଂରାଜୀ ଭାଷାରେ ସବିଶେଷ ଟୀକା ମଧ୍ୟ ଏହା ସହିତ ରହିଛି।

ଡକ୍ଟର ଦିନନାଥ ପାଠୀଙ୍କର ଏହା ସମ୍ଭବତଃ ଶେଷ ବହି। ଜୀବନକାଳ ଭିତରେ ସେ ଥିଲେ ବହୁମୂଖୀ ଲେଖକ। କଳା ଓ ଚିତ୍ରର ଇତିହାସ, ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, ନାଟକ, ଆତ୍ମଜୀବନୀ ଏବଂ ଜୀବନୀ ରଚନା କ୍ଷେତ୍ରରେ ତାଙ୍କର ବିରାଟ ଅବଦାନ ରହିଥିଲା। ତାଙ୍କ ମୃତ୍ୟୁର ଚାରି ବର୍ଷ ପରେ ପ୍ରକାଶ ପାଇଥିବା “ଚିତ୍ରଶାସ୍ତ୍ର, ପାମ ଲିଫ ମାନ୍ୟୁସ୍କ୍ରିପ୍ଟ ଫ୍ରମ ଓଡିଶା” ବହିଟି ତାଙ୍କର ସ୍ମୃତିକୁ ଅଧିକ ଜୀବନ୍ତ କରିଛି।