ଭୁବନେଶ୍ୱର: ଆଗାମୀ ଯୁକ୍ତ ୨ ପରୀକ୍ଷାକୁ ଅଧିକ ସ୍ବଚ୍ଛ,ଶୃଙ୍ଖଳିତ ଏବଂ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୨୦୨୭ ବର୍ଷର ଯୁକ୍ତ ୨ ପରୀକ୍ଷା ପରିଚାଳନା ନେଇ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ନଭେମ୍ବର ୩୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ CHESE କଣ୍ଟ୍ରୋଲର ଚିଠି ଲେଖିଛନ୍ତି।
ଆସନ୍ତା ନଭେମ୍ବର ୩୦ ତାରିଖ କେନ୍ଦ୍ରରେ ସିସିଟିଭି ଲଗାଇବା ଶେଷ ସମୟ ଧାର୍ଯ୍ୟ କରାଯାଇଛି। ଏହି ତାରିଖ ସୁଦ୍ଧା ଏସବୁ ସୂଚନା ସାମ୍ସ ଇ-ସ୍ପେଶ (SAMS e-Space) ପୋର୍ଟାଲରେ ଅପଡେଟ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କଲେଜଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାରେ ବିଫଳ ହେବେ, ସେମାନଙ୍କର ପରୀକ୍ଷା କେନ୍ଦ୍ର ବାତିଲ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। CHSE ପକ୍ଷରୁ ରାଜ୍ୟର ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ଅବଗତ କରାଯାଇଛି।
ପରୀକ୍ଷା ପରିଚାଳନାରେ କୌଣସି ପ୍ରକାରର ଅନିୟମିତତାକୁ ଏଡ଼ାଇବା ଏବଂ ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପରିଚାଳନା କରିବା ପାଇଁ ପରିଷଦ ଏହି ପଦକ୍ଷେପ ଗ୍ରହଣ କରିଛି ।

