ଭୁବନେଶ୍ବର: ଦୀର୍ଘ ୧୯ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ସୋନମ୍ ୱାଂଙ୍ଗଚୁକ୍ । ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ । ସୋନମ୍ ୱାଂଙ୍ଗଚୁକଙ୍କୁ ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ଏବଂ ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଥିବା ଲିକ୍ ହେବା ସତ୍ତ୍ୱେ ଜଣେ ଅପାରଗ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ବଦଳରେ ତାଙ୍କୁ ଘଣ୍ଟ ଘୋଡ଼ାଯାଉଛି ବୋଲି ନାଗରିକ ସମାଜ କହିଛି ।
ଆସନ୍ତା ଜୁଲାଇ ୨୦ ତାରିଖ ଦିନ ଲୋୱର ପିଏମଜି ଠାରେ ଦିନ ୧୦ଟା ସମୟରେ ଭୁବନେଶ୍ୱରର ବିଭିନ୍ନ ବର୍ଗର ସାଧାରଣ ଜନତା ଏକାଠି ହେବେ ଏବଂ ସୋନମ୍ ୱାଙ୍ଗଚୁକ ଯେଉଁ ଆନ୍ଦୋଳନ ଚଳାଇଛନ୍ତି ତାଙ୍କ ପ୍ରତି ସମର୍ଥନ ଜ୍ଞାପନ କରିବ । ଏହା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯିବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ଗୃହୀତ ହୋଇଛି ।
ଏହା ସହିତ ଓଡ଼ିଶାରେ ଯେଉଁପରି ଭାବରେ ଶିକ୍ଷା ବ୍ୟବସ୍ଥା ପ୍ରତି ଅଣଦେଖା କରାଯାଉଛି , ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭୁଲ୍ ପୁସ୍ତକ ଛାତ୍ର ଛାତ୍ରୀଙ୍କୁ ଦିଆଯାଇ ସେମାନଙ୍କର ଭବିଷ୍ୟତକୁ ଅନ୍ଧକାର କରିବା ପାଇଁ ରାଜ୍ୟ ସରକାର ରୀତିମତ ଯୋଜନା କରିଛନ୍ତି ଏଥିନେଇ ମଧ୍ୟ ବିରୋଧ କରାଯାଇଥିଲା । ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ମଞ୍ଚରୁ ସଦସ୍ୟ ମାନେ ପ୍ରତିନିଧିତ୍ଵ କରିଥିଲେ ଏବଂ ସେମାନେ ମିଳିତ ଭାବେ ଜନ୍ତର ମନ୍ତର ଠାରେ ଯେଉଁଭଳି ବିନା ବ୍ୟାନରରେ ଆନ୍ଦୋଳନ ଚାଲିଛି ତାହାକୁ ସମର୍ଥନ କରିବ ।
ଜୁଲାଇ ୨୦ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଧାରଣାରେ ଛାତ୍ର, ଯୁବକ, ବିଭିନ୍ନ ରାଜନୈତିକ ସଙ୍ଗଠନ, ବିଭିନ୍ନ ଅନୁଷ୍ଠାନ, ସଚେତନ ନାଗରିକ, ବୁଦ୍ଧିଜୀବୀ, ସମ୍ବାଦିକ, ସମାଜର ବିଭିନ୍ନ ବର୍ଗରୁ ସମସ୍ତେ ମିଳିତ ଭାବରେ ବିନା ପାର୍ଟି ବ୍ୟାନରରେ ବିନା ସଙ୍ଗଠନ ବ୍ୟାନରରେ ଏକାଠି ଭାରତ ସରକାରଙ୍କ ଉପରେ ଚାପ ଦେଶରେ ପ୍ରତିଷ୍ଠିତ ଶିକ୍ଷାବିତ ଏବଂ ବୈଜ୍ଞାନିକ ପରିବେଶବିତ ସୋନମ୍ ୱାଙ୍ଗ ଚୁକଙ୍କର ଜୀବନ ରକ୍ଷା ପାଇଁ କେନ୍ଦ୍ର ସରକାର ଆଗକୁ ହାତ ବଢ଼ାଇବା ସହ ଆଲୋଚନା କରନ୍ତୁ ଏବଂ ସମ୍ପୃକ୍ତ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।
ଏହି କ୍ରମରେ ଓଡ଼ିଶାର ଜନସାଧାରଣ ଏବଂ ଭୁବନେଶ୍ୱରବାସୀଙ୍କୁ ନାଗରିକ ସମାଜ ତରଫରୁ ଅନୁରୋଧ କରାଯାଇଛି ଯେ ଆସନ୍ତୁ ସମସ୍ତେ ମିଳିତ ଭାବରେ ଆଗାମୀ ଜୁଲାଇ ୨୦ ତାରିଖ ଦିନ ୧୦ଟା ସମୟରେ ଲୋୱର ପିଏମଜି ଠାରେ ଏକାଠି ହୋଇ ପ୍ରତିବାଦ ଜଣାଇବା ଏବଂ ଏହି ପ୍ରତିବାଦରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ପ୍ରମୁଖ ଭାବରେ ପ୍ରଫୁଲ୍ଲ ସାମନ୍ତରା, ଦେବ ମହାପାତ୍ର, ନିଶିକାନ୍ତ ମହାପାତ୍ର, ମନମୋହନ ରାଉତରାୟ, ସୋନାଲି ଗନ୍ତାୟତ, ମନ୍ମଥ ରାଉତରାୟ, ଦେବାଶିଷ ଭୂୟାଁ, ଅମିୟ ପାଣ୍ଡବ, ସୁରେଶ ପାଣିଗ୍ରାହୀ, ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ରାଧା ରମଣ ଦାସ, ଶ୍ରୀକାନ୍ତ ପାଣି, ଜୟସୂର୍ଯ୍ୟ କାନୁନଗୋ, ଲଳିତ ମୋହନ ଦାସ୍ ଅଧିକାରୀ ଉପସ୍ଥିତ ରହିଥିଲେ ।