Latest Odisha News

BREAKING NEWS

Amrit Bharat Station:ନୂଆ ରୂପ ପାଇଲା ଓଡ଼ିଶାର ୭ ରେଳ ଷ୍ଟେସନ;ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଜଳନ୍ଧରରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୫ଟି ପୁନଃବିକଶିତ ରେଳ ଷ୍ଟେସନ୍ ଉଦ୍‌ଘାଟନ କରିଛନ୍ତି। ଯେଉଁଥିରେ ରହିଛି ଓଡ଼ିଶାର ୭ ଟି ରେଳ ଷ୍ଟେସନ।

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନଗୁଡ଼ିକର ସାମଗ୍ରିକ ବିକାଶ କରାଯାଇଛି।

ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟରେ ପୁନନିର୍ମିତ ଏହି ଷ୍ଟେସନଗୁଡ଼ିକ, ସେମାନଙ୍କର ସମ୍ପୃକ୍ତ ଅଞ୍ଚଳର ସାଂସ୍କୃତିକ ପରିଚୟ , ସ୍ଥାପତ୍ୟ କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଆଧୁନିକ, ଯାତ୍ରୀ କେନ୍ଦ୍ରିକ ରେଳ ଷ୍ଟେସନ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।

 

ବିଶ୍ବସ୍ତରୀୟ ଏହି ରେଳ ଷ୍ଟେସନଗୁଡିକରେ ଆଧୁନିକ ଷ୍ଟେସନ୍ ଭବନ, ପ୍ରଶସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥ, ଲିଫ୍ଟ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୨ ମିଟର ଓସାରର ଫୁଟ୍ ଓଭରବ୍ରିଜ୍, ଉନ୍ନତ ପ୍ଲାଟଫର୍ମ, ପ୍ରଶସ୍ତ ଅପେକ୍ଷା ହଲ୍, ପରିଷ୍କାର ଶୌଚାଳୟ, ଡିଜିଟାଲ୍ ଯାତ୍ରୀ ସୂଚନା ବ୍ୟବସ୍ଥା, ବିସ୍ତୃତ ପାର୍କିଂ, ଫୁଡ୍ କୋର୍ଟର ସୁବିଧା ରହିଛି। ଷ୍ଟେସନରେ ଓଡ଼ିଶାର ହସ୍ତତନ୍ତ, ପାରମ୍ପରିକ କାରୁକାର୍ଯ୍ୟ ଏବଂ ଆଦିବାସୀ କଳାର ଝଲକ ହୋଇଛି। ଏହା କେବଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବ ନାହିଁ ବରଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ରୋଜଗାର ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନ ସହ ଦେଶରେ ମୋଟ୍ ୧୩୦୦ ରେଳ ଷ୍ଟେସନ ନବୀକରଣ ହେବ। ୨୦୨୭ ସୁଦ୍ଧା ବିକଶିତ ହେବାକୁ ଥିବା ଏହି ଷ୍ଟେସନଗୁଡିକ ପାଇଁ ଖର୍ଚ୍ଚ ହେବ ୪ ହଜାର ୪୭୦ କୋଟି ଟଙ୍କା।

ଓଡ଼ିଶାରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସେହିପରି କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଓଡ଼ିଶାରେ ପୁନର୍ବିକଶିତ ହୋଇଥିବା ୭ଟି ରେଳ ଷ୍ଟେସନକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ନୂତନ ଷ୍ଟେସନଗୁଡ଼ିକ କେବଳ ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇବ ନାହିଁ ବରଂ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.