Latest Odisha News

BREAKING NEWS

ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ

ରାଉରକେଲା: ଶନିବାର ସୁନ୍ଦରଗଡ଼ ଜିଲ୍ଲାରେ ଜବରଦଖଲ ଉଚ୍ଛେଦକୁ ନେଇ ସୁରକ୍ଷାକର୍ମୀ ଏବଂ ବସ୍ତି ବାସିନ୍ଦା ମୁହାଁମୁହିଁ । ଏହି ଖଣ୍ଡଯୁଦ୍ଧରେ ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ଛଅ ଜଣ ଆହତ ହୋଇଛନ୍ତି। ଡୁମେର୍ତ୍ତାରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ନିର୍ମାଣ କରାଯିବା ଯୋଜନାକୁ ହୋଇଛି ।  ଯେତେବେଳେ ସ୍ଥାନୀୟ ପ୍ରଶାସନ ରେଳବାଇ ଜମିରେ ବସ୍ତି ବାସିନ୍ଦାଙ୍କ ଦ୍ବାରା ଜବରଦଖଲ ହଟାଇବାକୁ ଚେଷ୍ଟା କରିଥିଲା, ସେତେବେଳେ ଏହି ସଂଘର୍ଷ ହୋଇଥିଲା।

ବନ୍ଧମୁଣ୍ଡା ବ୍ଲକ ଅନ୍ତର୍ଗତ ବରକାନି ଗାଁ ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦାମାନେ ରେଳପଥ ନିର୍ମାଣ ବିରୋଧରେ ପ୍ରତିବାଦ କରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିଗୁଡ଼ିକୁ ଅବରୋଧ କରିବାକୁ ଚେଷ୍ଟା କରୁଥିଲେ। ହେଲେ ସେତେବେଳେ ଦୁର୍ଭାଗ୍ୟବଶତଃ ଜେସିବି ଆଗକୁ ବଢ଼ିବାରୁ ଜଣେ ଯୁବ ପ୍ରଦର୍ଶନକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ବରକାନି ଗାଁର ଏତୋ ଏକ୍କା ବୋଲି ଜଣାପଡ଼ିଛି।

ତେବେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ଉପରକୁ ଢେଲା ପଥର ଓ ତୀର ମାଡ଼ କରିଥିଲେ। ଏହି ଆକ୍ରମଣରେ ଅତି କମରେ ପାଞ୍ଚରୁ ଛଅ ଜଣ ଅଧିକାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ ଏଏସଆଇ ରାଜେନ୍ଦ୍ର ସାହୁ, ସରୋଜ କୁମାର ମୁଦୁଲିଙ୍କ ସମେତ ରାକେଶ ମହାରଣା, ମନୋରଞ୍ଜନ ଦାସ ଓ ଜେସିବି ଚାଳକ ସାମୱେଲ ମାସି ଅଛନ୍ତି ।

ଉତ୍ତେଜନା ବୃଦ୍ଧି ପାଇବା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଏବଂ ସମ୍ଭାବ୍ୟ ହିଂସାକୁ ରୋକିବା ପାଇଁ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। କର୍ତ୍ତୃପକ୍ଷ ଉପୁଜିଥିବା ପରିସ୍ଥିତିର ତଦନ୍ତ କରୁଛନ୍ତି।

Comments are closed.