Latest Odisha News

BREAKING NEWS

ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି ପରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର: ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିବା ପରେ ଜୀବନ ହାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଗଲୁପଡ଼ା ଗାଁରେ । ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସକୁ ସୁଇସାଇଡ୍ ନୋଟ୍ ମିଳିଛି ।

ମୃତକ ହେଉଛନ୍ତି ସ୍କୁଲ୍ ଶିକ୍ଷକ ପ୍ରକାଶ ଚନ୍ଦ୍ର ରାଉତ ଓ ରଶ୍ମିରେଖା ମହାପାତ୍ରଙ୍କ ଏକମାତ୍ର ସନ୍ତାନ ପ୍ରଦ୍ୟୁମ୍ନ । ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ କାଟ୍ରା ହାଇସ୍କୁଲରେ ପ୍ରଦ୍ୟୁମ୍ନ ଦଶମ ଶ୍ରେଣୀରେ ପଢ଼ୁଥିଲା । ଯେତେବେଳେ କି ବାପା ବାଲିକୁଦା ଥାନା ମୁଲୁଗାଁର ମୂଳ ବାସିନ୍ଦା ହୋଇଥିବା ବେଳେ ମାଆ ଶାସନପଡ଼ା ହାଇସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ପରିବାର ଗଲୁପଡ଼ାରେ ଭଡ଼ା ଘରେ ରହୁଥିଲେ ।

ମିଳିଥିବା ସୂଚନା ଅନୁସାରେ, ସୋମବାର ପକେଟରୁ ୬୦ ଟଙ୍କା ଚୋରି ପାଇଁ ପ୍ରଦ୍ୟୁମ୍ନଙ୍କୁ ଗାଳି କରିଥିଲେ ପ୍ରକାଶ । ଆଉ ମଙ୍ଗଳବାର ହୋମ୍ ୱାର୍କ କରି ନଥିବାରୁ ପ୍ରଦ୍ୟୁମ୍ନ ସ୍କୁଲ୍ ଯାଇ ନଥିଲା । ଆଉ ସ୍କୁଲ୍ ସାରି ରଶ୍ମିରେଖା ଘରକୁ ଫେରି ଦେଖନ୍ତି ତ ପୁଅ ଫ୍ୟାନରେ ଝୁଲି ପଡ଼ିଛି । ରଶ୍ମିରେଖାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପ୍ରଦ୍ୟୁମ୍ନକୁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ପ୍ରଦ୍ୟୁମ୍ନଙ୍କୁ ମୃତ ଘୋଷଣା କରିଛନ୍ତି ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୂର୍ବରୁ ପ୍ରଦ୍ୟୁମ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରକାଶ ପୁଅକୁ ନିଜେ ଶିକ୍ଷାଦାନ କରୁଥିବା ବିଦ୍ୟାଳୟକୁ ନେଇ ଆସିଥିଲେ ଉତ୍ତମ ଭାବେ ଗାଇଡ୍ କରିବା ଲାଗି । ପ୍ରଦ୍ୟୁମ୍ନ ମୃତ୍ୟୁ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ପ୍ରଦ୍ୟୁମ୍ନ ଚିଠିରେ ଲେଖିଥିବା ପୋଲିସ କହିଛି ।

Leave A Reply

Your email address will not be published.