Latest Odisha News

ଧାର୍ମିକ ସ୍ଥାନ ଗୁଡିକୁ ‘ମହା ତୀର୍ଥ ଭୂମି’ ରୂପେ ଚିହ୍ନଟ କରିବାକୁ ନିର୍ଦେଶ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧାର୍ମିକ ସ୍ଥାନ ଗୁଡିକୁ ‘ମହା ତୀର୍ଥ ଭୂମି’ ବୋଲି ନାମିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପୁରୁଲିଆର ଡୁଲଘାଟାର ମନ୍ଦିର ଠାରୁ ଆରମ୍ଭ କରି ମାଲଦା ଜିଲ୍ଲା ବଙ୍ଗଳାର ହଜରତ ପାଣ୍ଡୁଆରେ ସାଧୁ ନୁର କୁଟ ବାଲାମଙ୍କ ସମାଧି ପର୍ଯ୍ୟନ୍ତ ଅନେକ ପ୍ରାଚୀନ ଧାର୍ମିକ ସ୍ଥାନ ରହିଛି ଯାହା ଉପରେ ଧ୍ୟାନ ଦିଆଯିବ । ଭୁଲିଯାଇଥିବା ଇତିହାସ ଏବଂ ଏପରି ସ୍ଥାନଗୁଡିକର କାହାଣୀକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ।ଶତାବ୍ଦୀ ପୁରୁଣା ମନ୍ଦିର ମସଜିଦ ଏବଂ ଚର୍ଚ୍ଚଗୁଡିକର ଚିହ୍ନଟ କରି ସେଗୁଡିକୁ ‘ମହାନ ତୀର୍ଥସ୍ଥାନ’ ଏବଂ ‘ମହାନ ପବିତ୍ର ଭୂମି’ ଭଳି ଦୁଇ ତାଲିକା ର ଅନ୍ତର୍ଭୁକ୍ତ କରାଯିବ ।

ବଙ୍ଗଳାର ସମାଜର ସମସ୍ତ ବିଭାଗ ପାଇଁ ଅନେକ ପ୍ରାଚୀନ ଧାର୍ମିକ ସ୍ଥାନ ଅଛି । ବର୍ଷ ବର୍ଷ ଧରି, ଏହି ସ୍ଥାନଗୁଡିକ ଉପରେ ଅଧିକ ଧ୍ୟାନ ଦିଆଯାଇନଥିଲା । ତେଣୁ ପର୍ଯ୍ୟଟନ ଚାର୍ଟରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଆମେ ଏଭଳି ସ୍ଥାନଗୁଡିକର ମ୍ୟାପିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ମମତା ବାନାର୍ଜୀ ସେପ୍ଟେମ୍ବର ୧୪ରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କହିଛନ୍ତି।

ସେ ଆହୁରି କହିଛନ୍ତି, ଏଠାରେ ଅନେକ ଆଦିବାସୀ ମନ୍ଦିର ଏବଂ ଧାର୍ମିକ ସ୍ଥାନ ଅଛି । ଉଦାହରଣ ସ୍ୱରୂପ, ଦେବୀ ଚୌଧୁରାନୀଙ୍କ ମନ୍ଦିର (ଜାଲପାଇଗୁରି ଜିଲ୍ଲା) । ସେମାନଙ୍କ ବିକାଶ ପାଇଁ ସ୍ଥାନଗୁଡିକର ମାନଚିତ୍ର ତିଆରି କରି ଏହି ଅନନ୍ୟ ପ୍ରକଳ୍ପରେ କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସୂଚନା ଏବଂ ସାଂସ୍କୃତିକ ବିଭାଗକୁ ସେ ନିର୍ଦେଶ ଦେଇଛନ୍ତି।

ବୈଠକରେ ସେ ଆଦିବାସୀ ସାହିତ୍ୟ ଏକାଡେମୀ ଗଠନ, ପାର୍ଟି ହିନ୍ଦୀ ସେଲର ପୁନର୍ଗଠନ ସହିତ ସନାତନ ବ୍ରାହ୍ମଣ ପୁରୋହିତଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ଏବଂ  ମାଗଣା ଘର ଭଳି ଅନେକ ପଦକ୍ଷେପ ଘୋଷଣା କରିଛନ୍ତି ।

Leave A Reply

Your email address will not be published.