Latest Odisha News

BREAKING NEWS

ମୋ ସରକାର ସରକାରୀ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ସମୀକ୍ଷା । କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ୟ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ୟ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ବାସ ସୃଷ୍ଟି କରିପାରିଛି । ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି । ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ବସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୋ ସରକାରରୁ ମିଳିଥିବା ଫିଡ୍‌ବ୍ୟାକ୍‌ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସନ୍ତୋଷ ପ୍ରକାଶ କରିଥିଲେ ।

ରାଜ୍ୟ ସରକାରଙ୍କ ସବୁ କାର୍ୟ୍ୟକ୍ରମ ଓ ସେବା ମୋ ସରକାର କାର୍ୟ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ୟ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନାଗରିକ ମାନଙ୍କ ଡାଟାବେସ୍‌କୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ସେ କହିଥିଲେ । ଏହା ଆମର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରୁ ଜଣାଯାଇଛି ଯେ ମୋ ସରକାର କାର୍ୟ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏ ସଂପର୍କରେ ଲୋକମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଇଛି ।

ଆଜିର ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବରଷ୍ଟ୍ର ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନା ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ୟ୍ୟକ୍ରମର କାର୍ୟ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା

ଏହି ବିଭାଗର ସମୂହର ସେବା ପାଇଁ ମୋଟାମୋଟି ଭାବରେ ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ ।

ବୈଠକରେ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ,ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.