Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଭୟଭୀତ ନ ହେବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସ ଜରିଆରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

BjdElectrycity

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି । ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା । ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍‌ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ ବଡ ସହରରେ ଆକ୍ଟିଭ୍ କେସ୍ ସଂଖ୍ୟା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍‌ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡୁଛି । ତଥାପି ଆମ ସମସ୍ତଙ୍କୁ ସଂପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟ ଶାସନ ସଚିବ ତାଙ୍କର ପ୍ରେସ୍‌ ସୂଚନା ଜରିଆରେ କୋଭିଡ ରୋଗୀ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଙ୍କା ଥିବା ନାଗରିକଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ କହିଛନତି ନବୀନ । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୋଭିଡ ସଂପର୍କରେ ଆମର ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ । ଏହାସହ ମାଇକ୍ରୋ କଣ୍ଟେନମେଣ୍ଟ ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କ ନିୟମିତ ତଦାରଖ ଉପରେ ଗୁରୁତ୍ବ ଦେଇଛନ୍ତି । ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ. ଶର୍ମା ସମଗ୍ର ବିଶ୍ବ, ଦେଶ ଓ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ସୂଚନା ଦେଇଥିଲେ । ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍‌ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍‌ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ସେହିପରି ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି । ୧୫ ରୁ ୧୮ ବୟସ୍କ କିଶୋର ମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି । ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ. ଶର୍ମା ।

Comments are closed, but trackbacks and pingbacks are open.