Latest Odisha News

ପଂଚାୟତ ନିର୍ବାଚନ ପରିଚାଳନାର ନିରପେକ୍ଷତାକୁ ନେଇ ସନ୍ଦେହ ଘନୀଭୁତ: ଡ. ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତିଗସ୍ତ ଓ ଭ୍ରଷ୍ଠାଚାରୀ ରାଜ୍ୟ ସରକାରଙ୍କ କାରଣରୁ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି, ଅବ୍ୟବସ୍ଥିତ ଧାନ ମଣ୍ଡି, ପଛୁଆ ଓ ଆଦିବାସୀ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର, ଗରୀବ ହିତାଧିକାରୀ ଚୟନରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଅଗ୍ରାଧିକାର କାରଣରୁ ପ୍ରକୃତ ହିତାଧିକାରୀ ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ସାଧାରଣ ଲୋକଙ୍କ ହାତରେ ଶାସନ କ୍ଷମତା ପ୍ରଦାନ କରିବା ପାଇଁ ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ମୋଦି ସରକାର ବ୍ୟାପକ ମାତ୍ରାରେ ଆର୍ଥୀକ ଅନୁଦାନ ସିଧାସଳଖ ପଂଚାୟତକୁ ପ୍ରଦାନ କରିଥିବାବେଳେ ରାଜ୍ୟରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ନେତାମାନେ ଚଂଚକତା କରି ଗ୍ରାମାଂଚଳର ବିକାଶ ପାଇଁ ଆସିଥିବା ଏହି ଅର୍ଥକୁ ହରିଲୁଟ କରି ନିଜ ହୀନ ସ୍ୱାର୍ଥକୁ ଚରିତାର୍ଥ କରିବା ସହ ଗରୀବ ଓ ଗ୍ରାମାଂଚଳର ବିକାଶରେ ବାଧକ ସାଜିଛନ୍ତି । ରାଜ୍ୟରେ ଆଜି ଯୁବକ ବେକାର, ମା ଓ ଭଉଣୀ ଅସୁରକ୍ଷିତ, ଚାଷୀ ନିଜ କଷ୍ଟ ଉପାର୍ଜିତ ଶସ୍ୟର ସଠିକ ମୂଲ୍ୟ ନପାଇ ହନ୍ତସନ୍ତ ହେବା ସହିତ ଜୀବନ ହରାଉଛନ୍ତି, କାମଧନ୍ଦା ନପାଇ ଗ୍ରାମାଂଚଳ ଯୁବକ ଯୁବତୀମାନେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ।

ଅନ୍ୟ ପଟେ ନିଜ ଦୋଷ ଓ ଦୁର୍ବଳତାକୁ ଲୁଚାଇବା ପାଇଁ ଶାସକ ବିଜେଡି ବଡ ବଡ ବିଜ୍ଞାପନ, ହୋର୍ଡିଂ ଜରିଆରେ ମିଥ୍ୟା ପ୍ରଚାର କରି ବିଫଳତାକୁ ଲୁଚାଉଛି । ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲିଲେ ପୋଲିସ ଓ ପ୍ରଶାସନର ଭୟ ଦେଖାଇ ଶାସକ ବିଜେଡି ବିରୋଧୀଙ୍କୁ ଦମନ କରିବାର ପ୍ରୟାସ କରିଚାଲିଛି । ଅନ୍ୟ ପକ୍ଷରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ହାତବାରିସୀ ସାଜି ଶାସକ ବିଜେଡିକୁ ସୁହାଇଲା ଭଳି ପଦକ୍ଷେପ ନେଇ ଅନୁଷ୍ଠିତ ହେବାକୁ ଥିବା ଅବାଧ, ନିରପେକ୍ଷ. ଭୟମୁକ୍ତ ପଂଚାୟତ ନିର୍ବାଚନ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରାଇଛନ୍ତି । ରାଜ୍ୟସରକାରଙ୍କ ଇଙ୍ଗିତରେ ଗତ ଡିସେମ୍ବର ୧୨ ତାରିଖରେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାକୁ ଚଳିତ ମାସ ୧୨ ତାରିଖରେ ପ୍ରକାଶିତ କରିବାରୁ ଭୋଟର ତାଲିକାରେ ସଂଶୋଧନ ହୋଇପାରିଲା ନାହିଁ । ସଦ୍ୟ ପ୍ରକାଶିତ ଭୋଟର ତାଲିକାରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ନାମ ଜାଣିଶୁଣି କାଟିଦିଆଯାଇଛି । ଭାରତୀୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତାଳମେଳ ନାହିଁ । ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ କେବଳ ‘ଧର୍ମକୁ ଆଖି ଠାର’ ଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଡିଓ, ତହସିଲଦାର, ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଶାସକ ଦଳ ପାଇଁ କାର୍ଯ୍ୟ କରୁଥିବାର ବଳିଷ୍ଠ ପ୍ରମାଣ ଥିବା ସତ୍ୱେ ରାଜ୍ୟ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଜଣେ ଜଣେ ଉଚ୍ଚ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଅବସ୍ଥାପିତ ହୋଇଥିଲେ ସୁଦ୍ଧା ତାଙ୍କୁ ଜାଣିଶୁଣି ବଦଳି କରାଯାଇନାହିଁ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ ଶାସକ ଦଳର ବଡ ବଡ ବିଜ୍ଞାପନ ପ୍ରଦର୍ଶିତ ହେଉଥିବାବେଳେ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅନୁଷ୍ଠିତ ହେବାକୁ ଥିବା ନିରପେକ୍ଷ ପଂଚାୟତ ନିର୍ବାଚନ ପରିଚାଳନା ଓ ନେଇ ଆଜିର ବୈଠକରେ ଉଦବେଗ ପ୍ରକାଶ ପାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ କହିଛନ୍ତି ।

ବୈଠକ ପରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ ସୁଚନା ଦେଇ କହିଛନ୍ତି ଯେ, ପକ୍କାଘର ଆବଂଟନରେ ବ୍ୟାପକ ଦୁର୍ନୀତି, ଧାନକିଣା, ସାମ୍ବିଧାନିକ ସଂରକ୍ଷଣ ବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ମା ଓ ଭଉଣୀମାନେ ଅସୁରକ୍ଷିତ, ଶାସକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ସୁରକ୍ଷା କାରଣରୁ ଅଭିଯୁକ୍ତ ମନ୍ତ୍ରୀ ଓ ନେତାମାନଙ୍କ ନିର୍ଭୟରେ ଅପରାଧ ଭିଆଇବା, ଡିଏମଏଫ / ଓମବାଡସି ଦୁର୍ନୀତି, ଡାକ୍ତର ଓ ଶିକ୍ଷକ ଅଭାବ, ଦଳୀୟ ଭିତିରେ ହିତାଧିକାରୀ ଚୟନ, ପଂଚାୟତ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ହଡପ କରି ଗ୍ରାମାଂଚଳ ବିକାଶରେ ବାଧକ ସାଜିଥିବା ଶାସକ ବିଜେଡିର ହୀନ କାର୍ଯ୍ୟକଳାପକୁ ଘର-ଘର, ଗାଁ-ଗାଁ ବୁଲି ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଆଜିର ଏହି ବୈଠକରେ ଉପସ୍ଥିତ ନେତୃବୃନ୍ଦ ଉଦବେଗ ପ୍ରକାଶ କରିବା ସହିତ ଏ ସମସ୍ତ ପ୍ରସଙ୍ଗକୁ ଲୋକମାନଙ୍କୁ ଜଣାଇବା ପାଇଁ ବିଜେପି କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଗ୍ରାମଂଚଳର ବିକାଶରେ ରାଷ୍ଟ୍ରର ବିକାଶ । ବିଜେପି ଶାସନ କ୍ଷମତାକୁ ଆସିଲେ ବିକାଶ ହିଁ ମୁଳ ଲକ୍ଷ୍ୟ । ସମସ୍ତ ଜନ ଓ ଗରୀବକଲ୍ୟାଣ ଯୋଜନାର ସୁଫଳକୁ ସମାଜର ତଳ ସ୍ତରରେ ବାସ କରୁଥିବା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚାଇବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । ଏହାକୁ ଆଧାର କରି ବିଜେପି କାର୍ଯ୍ୟକର୍ତାମାନେ ଆଗାମୀ ପଂଚାୟତ ନିର୍ବାଚନରେ ସାଧାରଣ ଲୋକଙ୍କ ପାଖକୁ ଯିବେ ଏବଂ ମୋଦି ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନାର ସୁଫଳ ସଂପର୍କରେ ମଧ୍ୟ ଅବଗତ କରାଇବାର ନିଷ୍ପତି ନିଆଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

କୋଭିଡ୍ କଟକଣା କାରଣରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଭର୍ଚୁଆଲ ରାଜ୍ୟସ୍ତରୀୟ ପଂଚାୟତ ନିର୍ବାଚନ ପରିଚାଳନା କମିଟି ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ପଂଚାୟତ ନିର୍ବାଚନ ପରିଚାଳନା ରାଜ୍ୟ କମିଟିର ସଂଯୋଜକ ତଥା ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ଜୁଏଲ ଓରାମ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, କମିଟିର ସଦସ୍ୟ ତଥା ସାଂସଦ ବସନ୍ତ ପଣ୍ଡା, ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଶଙ୍କର୍ଷଣ ପରିଡାଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ସାଂସଦ ଓ ସାଂସଦ ପ୍ରାର୍ଥୀ, ବିଧାୟକ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ । ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ବିଭିନ୍ନ କମିଟିମାନ ଗଠନ କରାଯାଇ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ଗଣମାଧ୍ୟ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହ ପ୍ରମୁଖ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.