Latest Odisha News

BREAKING NEWS

ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ଜିଲ୍ଲାରେ ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ । ସେହିପରି ବ୍ରହ୍ମଗିରିରେ ୧ ହଜାର ୬ କୋଟି ୮୨ ଲକ୍ଷ ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲ୍ଲାର ଜନସାଧାରଣ ଆମର ବିକାଶ କାର୍ଯ୍ୟକ୍ରମକୁ ସବୁବେଳେ ଦୃଢ ସମର୍ଥନ ଦେଇ ସରକାରଙ୍କ ହାତମୁଠାରୁ ଟାଣ କରିଛନ୍ତି। ସେଥିପାଇ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାବାସୀଙ୍କ ସ୍ନେହ ଓ ଆଦରକୁ ପାଥେୟ କରି ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁରୀର ବିକାଶ ପାଇଁ ଆମର ଦାୟିତ୍ୱ। ଲଣ୍ଡନ, ଟୋକିଓ ଭଳି ପୁରୀ ସହରରେ ଲୋକେ ପିଇବା ପାଣି ପାଉଛନ୍ତି। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ପାଇଁ ୧୯୧ ଟି ଗାଁର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। କୋଭିଡ ସମଗ୍ର ମାନବ ଜାତିକୁ କଷ୍ଟ ଦେଇଛି। ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଥିଲେ। ଆପଣମାନେ ଓଡ଼ିଶା ସରକାରଙ୍କୁ ସହଯୋଗ କରିଥିଲେ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ।

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ସାସଦ ଶ୍ରୀ ପିନାକୀ ମିଶ୍ର ତାଙ୍କ ଭାଷଣରେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ୍ କାର୍ଡ ରୁ କିପରି ଅଧିକ ସୁବିଧା ମିଳୁଛି ତା ଉପରେ ଆଲୋକପାତ କରିଥିଲେ ।

ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା, ସ୍ୱାଗତ ଭାଷଣ ଦେଇଥିଲେ । ଓ ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ସମସ୍ୟା ଉପରେ ଆଲୋକପାତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ।ଜଗତସିଂହପୁର ସାସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

ପୂର୍ବରୁ ମାଲକାନଗିର, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ୱାରା ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଉଛନ୍ତି।

Leave A Reply

Your email address will not be published.