Latest Odisha News

BREAKING NEWS

ସିଏମ୍ଓରୁ ଫାଇଲ୍ ଗାଏବ ମାମଲାର ଖୋଳତାଡ଼: କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତି ତଥା ପ୍ରଶାସନିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ)ରୁ ତଦନ୍ତ କମିଶନ ଫାଇଲ ହଜିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି। କମିଶନରେଟ୍ ପୋଲିସ ପକ୍ଷରୁ ପୂର୍ବରୁ ତାଙ୍କୁ ସମନ ଜାରି କରାଯାଇଥିବା ବେଳେ ସେ ଥାନାରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି।

 

ସୂଚନା ଅନୁଯାୟୀ, ମନୋଜ ମିଶ୍ର ଆଜି କ୍ୟାପିଟାଲ ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ପ୍ରାୟ ୩୦ ମିନିଟ୍ ଧରି ପଚରାଉଚରା କରିଥିଲା। ସିଏମ୍ଓରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କେଉଁ ପରିସ୍ଥିତିରେ ଏବଂ କିପରି ହଜିଲା, ସେ ନେଇ ତଦନ୍ତକାରୀ ଅଧିକାରୀମାନେ ତତ୍କାଳୀନ ବିଭାଗୀୟ ମୁଖ୍ୟମାନଙ୍କ ବୟାନ ରେକର୍ଡ କରୁଛନ୍ତି। ମନୋଜ ମିଶ୍ର ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାରୁ ତାଙ୍କର ବୟାନ ଏହି ତଦନ୍ତ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି।

 

ପଚରାଉଚରା ଶେଷ ହେବା ପରେ ଥାନାରୁ ବାହାରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମନୋଜ ମିଶ୍ର କହିଛନ୍ତି ଯେ, ସେ ପୋଲିସର ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

 

“ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ହଜିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣା ଘଟିବା ସମୟରେ ମୁଁ ଆଇଟି ବିଭାଗର ସଚିବ ଦାୟିତ୍ୱରେ ଥିଲି। ତେଣୁ ସେତେବେଳେ ଅଫିସିଆଲ୍ କାର୍ଯ୍ୟପ୍ରଣାଳୀ କିପରି ରହୁଥିଲା ଏବଂ ଫାଇଲ୍ ଗୁଡ଼ିକର ପରିଚାଳନା କିପରି ହେଉଥିଲା, ସେ ବିଷୟରେ ଜାଣିବା ପାଇଁ ପୋଲିସ ମୋତେ ଡାକିଥିଲା,” ବୋଲି ସେ ସ୍ପଷ୍ଟ କରିଛନ୍ତି।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପୋଲିସ ମାଗିଥିବା ସମସ୍ତ ତଥ୍ୟ ମୁଁ ପ୍ରଦାନ କରିଛି। ତେବେ ଏହା ଏକ ସମ୍ବେଦନଶୀଳ ତଦନ୍ତ ହୋଇଥିବାରୁ, ସବୁ ତଥ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରାଯାଇପାରିବ ନାହିଁ।”

 

କେବଳ ମନୋଜ ମିଶ୍ର ନୁହଁନ୍ତି, ଫାଇଲ୍ ଗାଏବ ଘଟଣାରେ ପୋଲିସ ପୂର୍ବ ସରକାର ସମୟରେ ସିଏମ୍ଓରେ କାର୍ଯ୍ୟରତ ଥିବା ଅନ୍ୟାନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରଶାସନିକ ସ୍ତରରେ ଏତେ ବଡ଼ ତ୍ରୁଟି କିପରି ହେଲା ଏବଂ ଫାଇଲ୍ ପଛରେ ପ୍ରକୃତରେ କାହାର ହାତ ଅଛି, ତାହା ଉପରୁ ପରଦା ହଟାଇବା ପାଇଁ ପୋଲିସ ବିଭିନ୍ନ ଦିଗରୁ ଖୋଳତାଡ଼ ଜାରି ରଖିଛି।

Leave A Reply

Your email address will not be published.