ପୁରୀ: ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆୟୋଜିତ ସ୍ବତନ୍ତ୍ର ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ୨୦୨୬ ରଥଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ତ୍ରୁଟିଶୂନ୍ୟ କରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେବାୟତ ଓ କର୍ମଚାରୀଙ୍କୁ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ରଥଯାତ୍ରା ଉପରେ ସାରା ବିଶ୍ବର ନଜର ରହିଛି । ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ । ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ ବୋଲି କହିଛନ୍ତି ।
କର୍ଡନ ପାସ୍ ଉପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରଥଯାତ୍ରା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ପହଣ୍ଡି, ରଥଟଣା, ଦର୍ଶନ, ଭକ୍ତଙ୍କ ସୁବିଧା, ସୁରକ୍ଷା ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି ।
ରଥଯାତ୍ରା ପାଇଁ ଏହି ସ୍ବତନ୍ତ୍ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ଆଦି ମଧ୍ୟ ଉପସ୍ଥିତ ଥିଲେ ।