ମୁମ୍ବାଇ: ବକ୍ସ ଅଫିସରେ ଧମାଲ୍ କରୁଛି ୟଶରାଜ୍ ସ୍ପାଏ ୟୁନିଭର୍ସର ନୂଆ ଆକ୍ସନ ଥ୍ରୀଲର୍ ଫିଲ୍ମ ‘ଆଲ୍ଫା’ । ରିଲିଜ୍ର ପ୍ରଥମ ୱିକେଣ୍ଡରେ ହିଁ ଫିଲ୍ମଟି ବିଶ୍ୱବ୍ୟାପୀ ବଡ଼ ସଫଳତା ହାସଲ କରିଛି। ତୃତୀୟ ଦିନରେ ଫିଲ୍ମର ବଡ଼ କଲେକ୍ସନ ଦେଖିବାକୁ ମିଳିଛି । ଏଥି ସହିତ ‘ଆଲ୍ଫା’ର ୱାର୍ଲ୍ଡୱାଇଡ୍ ବକ୍ସ ଅଫିସ କଲେକ୍ସନ ୫୮ କୋଟି ଟଙ୍କା ପାର୍ କରିସାରିଲାଣି।
ସ୍ପାଏ ଥ୍ରୀଲର୍ ଫିଲ୍ମ ଆଲଫାରେ ଆଲିଆ ଭଟ୍ଟ, ଶର୍ବରୀ ୱାଘ, ଅନିଲ କପୁର ଏବଂ ବବି ଦେଓଲଙ୍କ ଭଳି ଦମଦାର ଷ୍ଟାରକାଷ୍ଟ ନଜର ଆସୁଛନ୍ତି। ରିପୋର୍ଟ ଅନୁଯାୟୀ, ରବିବାର ଏହି ଫିଲ୍ମ ସାରା ବିଶ୍ୱରେ ପ୍ରାୟ ୨୦ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହା ଶନିବାର ତୁଳନାରେ ଯଥେଷ୍ଟ ଅଧିକ। ପ୍ରଥମ ତିନି ଦିନରେ ହିଁ ୫୮ କୋଟିରୁ ଅଧିକ ରୋଜଗାର କରି ଫିଲ୍ମଟି ବକ୍ସ ଅଫିସରେ ନିଜର ଦବଦବା ଜାହିର କରିଛି।
ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଏହି ସ୍ପାଏ ୟୁନିଭର୍ସ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପୂର୍ବରୁ ହିଁ ପ୍ରବଳ ଉତ୍ସାହ ଥିଲା। ଏହି ଫିଲ୍ମର କାହାଣୀ ଆକ୍ସନ, ଇମୋସନ ଏବଂ ସସପେନ୍ସରେ ଭରପୂର ରହିଛି। ଜନ୍ମ ପରେ ନିଜ ପରିବାରଠାରୁ ଅଲଗା ହୋଇଯାଇଥିବା ଜଣେ ଯୁବତୀଙ୍କୁ କିଭଳି ଏକ ଗୁପ୍ତ ମିଶନ ପାଇଁ ପ୍ରସ୍ତୁତ କରାଯାଉଛି ଏବଂ ମିଶନ ସମୟରେ ସେ କିଭଳି ନିଜ ଅତୀତର ରହସ୍ୟ ଖୋଲୁଛନ୍ତି, ତାହାକୁ ନେଇ ଗତିଶୀଳ ହୋଇଛି ଫିଲ୍ମର କାହାଣୀ। ଆଇଏମଡିବି ର ‘ମୋଷ୍ଟ ଆୱେଟେଡ୍’ ଫିଲ୍ମ ତାଲିକାରେ ଥିବା ଏହି ସିନେମା ଏବେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହେଉଛି।
ଫିଲ୍ମ ସମୀକ୍ଷକଙ୍କ ମତରେ, ଯଦି ଦର୍ଶକଙ୍କ ପକ୍ଷରୁ ଏଭଳି ସକାରାତ୍ମକ ପ୍ରତିକ୍ରିୟା ବଜାୟ ରହେ, ତେବେ ଆଗାମୀ ଦିନରେ ‘ଆଲ୍ଫା’ ବକ୍ସ ଅଫିସରେ ଆହୁରି ବଡ଼ ରେକର୍ଡ ସୃଷ୍ଟି କରିପାରେ। ପ୍ରଥମ ୱିକେଣ୍ଡରେ ୬୦ କୋଟି ପାଖାପାଖି ପହଞ୍ଚିବା ଫିଲ୍ମ ପାଇଁ ଏକ ଶୁଭ ସଂକେତ। ଏବେ ସମସ୍ତଙ୍କ ନଜର ସପ୍ତାହର ଅନ୍ୟ ଦିନଗୁଡ଼ିକର କଲେକ୍ସନ ଉପରେ ।
Comments are closed.