ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଟଳିନି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ବର୍ତ୍ତମାନ ନଦୀରେ ଜଳସ୍ଥଳ ବଢୁଥିବାରୁ ଆସିପାରେ ଛୋଟ ବନ୍ୟା। ଏନେଇ ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ତିନି ଦିନର ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି। ଅବପାତ ପ୍ରଭାବରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷିଛି। ଆଉ ଗୋଟ ଦିନ ଏହି ସ୍ଥିତି ରହିବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସେପଟେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ କି ନାହିଁ, ତାହା ନେଇ ଆଗାମୀ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଲଗାଣ ବର୍ଷାର ପ୍ରଭାବରେ ଉପରମୁଣ୍ଡ ଅଞ୍ଚଳରେ ନଦୀଗୁଡ଼ିକର ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଯଦି ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ସୃଷ୍ଟି ହୁଏ ତେବେ ଏହାର ପ୍ରଭାବ ବିଶେଷକରି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ପଡ଼ିପାରେ। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ଉପରେ ମଧ୍ୟ ପାଣିପାଗ ବିଭାଗ ନଜର ରଖିଛି। ଏହାର ପ୍ରଭାବରେ ପୁଣି ବର୍ଷା ବଢ଼ିଲେ ବନ୍ୟା ପରିସ୍ଥିତି ଜଟିଳ ହୋଇପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ସ୍ଥିତିକୁ ନେଇ ସରକାର ଓ ଜଳସମ୍ପଦ ବିଭାଗ ସତର୍କ ରହିଥିବବେଳେ, ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଓ ନଦୀର ଜଳସ୍ତର ଉପରେ ପ୍ରଶାସନର କଡ଼ା ନଜର ରହିଛି ।