Latest Odisha News

BREAKING NEWS

ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ବର : ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ବର୍ଗତ ଅଶୋକ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶା ଭାସ୍କର ଖବରକାଗଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସ୍ବର୍ଗତ ଧୀରେନ୍ଦ୍ର ରାଉତ, ବାଲେଶ୍ବର ଜିଲ୍ଲାର ‘ଇ.ପି.ଏ’ ସାପ୍ତାହିକ ପ୍ରତିନିଧି ସୋଲେମାନ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

 

କରୋନାରେ ପ୍ରାଣ ହରାଇଥିବା ୬ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଏହି ଦିବଙ୍ଗତ ସାମ୍ବାଦିକମାନେ ହେଲେ ଇ-ନ୍ୟୁଜର ଗଜପତି ପ୍ରତିନିଧି କେ.ସି ରତ୍ନମ, ସମାଜର ଗଞ୍ଜାମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ପ୍ରମେୟର ଖୋର୍ଦ୍ଧା ପ୍ରତିନିଧି ତାରିଣୀ ଚରଣ ପାଢ଼ୀ, ନ୍ୟୁଜ୍ ୧୮ର ପ୍ରବୀର କୁମାର ପ୍ରଧାନ, ମନ୍ଥନର ଖୋର୍ଦ୍ଧା ପ୍ରତିନିଧି ପ୍ରତାପ କୁମାର ଦାସ ଓ ହିନ୍ଦୁସ୍ତାନ ସମାଚାରର ଗଜପତି ପ୍ରତିନିଧି ନବୀନ ନନ୍ଦ ଗନ୍ତାୟତଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

 

ସେହିପରି ନିତିଦିନ ସମ୍ବାଦପତ୍ରର ଭୁବନେଶ୍ବର ପ୍ରତିନିଧି  ରାଧାନାଥ ମହାପାତ୍ର ଓ ପ୍ରତିଦିନ ଖବର କାଗଜର ପ୍ରତିନିଧି ପ୍ରଭାତ କୁମାର ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶୀ ପ୍ରଦାନ କରାଯାଇଛି । ଏହାସହ ଫ୍ରିଲାନ୍ସର ଭାବେ କାର୍ଯ୍ୟରତ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋଙ୍କ ଚିକିତ୍ସା ବାଦକୁ ୨ ଲକ୍ଷ ଟଙ୍କା ଓ ସମାଜର ଝାରସୁଗୁଡା ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ ଚିକିତ୍ସା ତଥା ଅକାଳ ବିୟୋଗ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରି ଆସୁଛନ୍ତି ।

Leave A Reply

Your email address will not be published.