Latest Odisha News

BREAKING NEWS

କଂଗ୍ରେସ ହାତରେ କଳାହାଣ୍ଡି ଚାବି !

ଭୁବନେଶ୍ବର : କାହାର ହେବ କଳାହାଣ୍ଡି ? ପୁଣି ଫୁଟିବ ପଦ୍ମ, ନା ହେବ ଶଙ୍ଖନାଦ ? କଂଗ୍ରେସର କଳାହାଣ୍ଡି ସମ୍ଭାବନା କେତେ ? କଳାହାଣ୍ଡିରେ ଏଥର ପ୍ରାର୍ଥୀ ବଦଳାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ରାଣୀ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସରୁ ଦ୍ରୌପଦୀ ମାଝୀ ମଇଦାନକୁ ଓହ୍ଲାଇଛନ୍ତି । କଳାହାଣ୍ଡିରେ ଟକ୍କର ବିଜେଡି ଓ ବିଜେପି ମଧ୍ୟରେ ହେଉଥିଲେ ବି କଂଗ୍ରେସ ହିଁ ଓ୍ବିନିଂ ଫ୍ୟାକ୍ଟର ହେବ ବୋଲି କୁହାଯାଉଛି ।

କଂଗ୍ରେସ ହେବ କିଙ୍ଗମେକର !
କଳାହାଣ୍ଡି ଲୋକସଭା ଜିତିବା ପାଇଁ ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ୍ । ଲୋକସଭା ଆସନରେ କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ରହିଛି। ଦଳର ହେଭିଓ୍ବେଟ୍ ନେତା ତଥା ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ମଧ୍ୟ ଚବିଶ ନିର୍ବାଚନରେ ଫ୍ୟାକ୍ଟର ହୋଇପାରନ୍ତି । ଗତଥର ଦିଲ୍ଲୀ ଲଢେଇ ଲଢିଥିବା ଭକ୍ତ ଦାସ ଏଥର ନର୍ଲାରୁ ବିଧାନସଭାରୁ ନିର୍ବାଚନ ଲଢୁଛନ୍ତି । ତିନି ତିନି ଥର ସାଂସଦ ରହିଥିବା ଭକ୍ତ ଦାସଙ୍କର କଳାହାଣ୍ଡିରେ ନିଜସ୍ବ ସଂଗଠନ ରହିଛି । ଭକ୍ତଙ୍କ ପୁଅ ସାଗର ଦାସ ମଧ୍ୟ ଏଥର ଭବାନୀପାଟଣାରୁ ଲଢୁଛନ୍ତି । ନୂଆପଡାରେ ବି କଂଗ୍ରେସର ପକେଟ୍ ଭୋଟ ରହିଛି । ଭକ୍ତ କେତେ ପରିମାଣରେ କଂଗ୍ରେସ ଭୋଟ୍ ଧରି ରଖିପାରିବେ ତା ଉପରେ ଲୋକସଭା ଫଳାଫଳ ନିର୍ଭର କରିପାରେ ।

କୁଆଡେ ଯିବ କଂଗ୍ରେସ ଭୋଟ୍ ?
ଗତଥର କଳାହାଣ୍ଡି ଲୋକସଭା ଆସନ ଅଧିନରେ ରହିଥିବା ୭ଟି ଆସନରୁ ଏକମାତ୍ର ଖରିଆର ଜିତିଥିଲା କଂଗ୍ରେସ । ବିଧାୟକ ଅଧିରାଜ ପାଣିଗ୍ରାହୀ ଏଥର କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଖରିଆରର କଂଗ୍ରେସ ଭୋଟ୍ ଦଳୀୟ ପ୍ରାର୍ଥୀଙ୍କୁ ଯିବ ନା ଅଧିରାଜଙ୍କ ଖାତାକୁ ଯିବ ? ଖରିଆରରୁ କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କୁ ମିଳିଥିବା ଭୋଟ୍ ଏଥର ବି କଂଗ୍ରେସରେ ରହିବ ତ ? ଗତଥର ଲୋକସଭା ନିର୍ବାଚନ ଲଢିଥିବା ଭକ୍ତ ଦାସ ୩ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ । ତାଙ୍କ ଭୋଟବ୍ୟାଙ୍କ ଏଥର କଂଗ୍ରେସ ପାଇବ ତ ? ତାଉପରେ ଲୋକସଭା ଲଢେଇର ବିଜୟ ସମୀକରଣ ନିର୍ଭର କରୁଛି ।

କଂଗ୍ରେସ ଭୋଟରୁ କାହାକୁ ଲାଭ ?
କଂଗ୍ରେସ ଭୋଟ୍ ସୁଇଂ ହେଲେ କୁଆଡେ ଯିବ, ବିଜେଡି ନା ବିଜେପିକୁ ? କେନ୍ଦ୍ରରେ ବିଜେପି ଓ କଂଗ୍ରେସ ପରସ୍ପରର ବିରୋଧୀ ହୋଇଥିବାରୁ କଂଗ୍ରେସ ଭୋଟ୍ ବିଜେଡିକୁ ଯାଇପାରେ। ଗତଥର ଲୋକସଭା ନିର୍ବାଚନମଣ୍ଡଳୀର ୭ଟିରୁ ୫ଟି ସିଟ୍ ଜିତିଥିଲା ବିଜେଡି । ବିଧାନସଭାରେ ବିଜେଡିର ସଂଗଠନ ଭଲ ଥିବା ବେଳେ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ କାର୍ଡ ଖେଳିଛି ବିଜେଡି । ଖରିଆର ବିଧାନସଭା ସିଟରୁ ଦୁଇଥର ପରାଜିତ ହୋଇଥିବା ଲମ୍ବୋଦର ନିଆଲଙ୍କୁ ଟିକେଟ୍ ଦେଇ ୨୫ପ୍ରତିଶତ ଯାଦବ ଭୋଟ୍ ଉପରେ ନଜର ରଖିଛି ବିଜେଡି ।

ରାଜପରିବାରକୁ ଜନତାଙ୍କ ସମର୍ଥନ !
ରାଜପରିବାର ପ୍ରତି କଳାହାଣ୍ଡି ଭୋଟରଙ୍କ ସମର୍ଥନ ରହିଛି । କଳାହାଣ୍ଡି ରାଜପରିବାରର ପ୍ରତାପ କେଶରୀ ଦେଓ ୫ଥର, ବିକ୍ରମ କେଶରୀ ଦେଓ ୩ଥର ଓ ଅର୍କ କେଶରୀ ଦେଓ ଥରେ ସାଂସଦ ନିର୍ବାଚିତ ହୋଇଛନ୍ତି । ଏଥର ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି। ତାଙ୍କ ସ୍ୱାମୀ ଅର୍କ କେଶରୀ ଦେଓ ୨୦୧୪ରେ ବିଜେଡିରୁ କଳାହାଣ୍ଡି ସାଂସଦ ନିର୍ବାଚିତ ହୋଇଥିଲେ । ତୃଣମୂଳରେ ବି ବିଜେପିର ସଂଗଠନ ଭଲ । ଗତଥର ଗୋଟିଏ ସିଟ୍ ଜିତି ବି ଲୋକସଭାରେ ପଦ୍ମ ଫୁଟାଇଥିଲେ ବସନ୍ତ ପଣ୍ଡା । ଏଥର ହାଓ୍ବା ରାଣୀଙ୍କ ସପକ୍ଷରେ ରହିପାରେ ବୋଲି କୁହାଯାଉଛି ।
ଲୋକସଭା ଛାଡି ବିଧାନସଭା ମଇଦାନକୁ ଭକ୍ତ ଦାସ ଓହ୍ଲାଇବା ପରେ ବଦଳିଛି କଳାହାଣ୍ଡି ସମୀକରଣ । ଲଢେଇ ମାଳବିକା କେଶରୀ ଦେଓ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ହେଲେ ବି କଂଗ୍ରେସ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । କଂଗ୍ରେସ ଭୋଟ୍ ସୁଇଂ କେଉଁ ପଟକୁ ହେଉଛି, ତାହା ହିଁ କଳାହାଣ୍ଡିର ବିଜେତା ବାଛିବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.