Latest Odisha News

BREAKING NEWS

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପ୍ରମୋଦଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ତରକାସି ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ I ଏଥି ସହିତ ପ୍ରମୋଦଙ୍କ କୋଚ ଶିବ ପ୍ରସାଦ ଦାସଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ I

ଅଲିମ୍ପିୟାନ ପଦ୍ମଶ୍ରୀ ପ୍ରମୋଦ ଭଗତ ନିଜ ବକ୍ତବ୍ୟରେ କ୍ରୀଡ଼ାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରସଂଶା କରିବା ସହ ନିଜର ସଫଳତା ଓ ଆଗାମୀ ଅଲିମ୍ପିକ୍ସ ଲକ୍ଷ୍ୟ ବିଷୟରେ ଉପସ୍ଥିତ କ୍ରୀଡ଼ାବିତ ମାନଙ୍କୁ କହିଥିଲେ I

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ସଫଳତା ପାଇବା ଲାଗି କୌଣସି ସହଜ ମାର୍ଗ ନାହଁ I କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସଫଳତା ପାଇବାରେ ସାହାଯ୍ୟ କରେ I ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରମୋଦ ଭଗତ I ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ଆଗକୁ ନେବାପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ନୂତନ ପିଢ଼ି ଏହାର ଲାଭ ଉଠାଇବା ସହ ପ୍ରମୋଦଙ୍କ ଭଳି ରାଜ୍ୟ ପାଇଁ ଗୌରବ ଆଣି ପାରିବେ ।

ସେହିପରି କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ କହିଥିଲେ ଯେ, ନିଜର ଉଦ୍ୟମ ବଳରେ ପଦ୍ମଶ୍ରୀ ପ୍ରମୋଦ ଭଗତ କେବଳ ନିଜ ପାଇଁ ପଦକ ଅର୍ଜନ କରି ନାହାନ୍ତି ବରଂ ସାରା ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି I ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଠାରୁ ଆରମ୍ଭ କରି ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପରେ ତାଙ୍କର ପଦକ ହାସଲ ସାରା ବିଶ୍ୱରେ ଆମର ଦକ୍ଷତାକୁ ପ୍ରମାଣିତ କରୁଛି I

ଉତ୍ସବରେ ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୀପଙ୍କର ମହାପାତ୍ରଙ୍କ ସମେତ ଯୁଗ୍ମ ଶାସନ ସଚିବ ଶ୍ରୀ ରଞ୍ଜିତ ପରିଡା, ଏଚପିସି ମୁଖ୍ୟ, କୋଚ, ବିଭାଗୀୟ ଅଧିକାରୀ ଏବଂ କ୍ରୀଡ଼ା ହଷ୍ଟେଲର ଅନ୍ତେବାସୀ ପ୍ରମୁଖ ଉପସ୍ଥିତ ଥିଲେ I

 

Leave A Reply

Your email address will not be published.