Latest Odisha News

BREAKING NEWS

ମୋକିମ ଓ ଚିରଞ୍ଜୀବଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଉପନିର୍ବାଚନ ହାରିଲୁ: ତରୁଣ ପାଣ୍ଡେ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଦଳୀୟ ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ୫ ହଜାରରୁ କମ୍ ଭୋଟ୍ ପାଇଛନ୍ତି। ତେବେ ଦଳ କାହିଁକି ଏତେ କମ୍ ଭୋଟ୍ ପାଇଲା ତାର କାରଣ କହିବାକୁ ଯାଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ଦଳୀୟ କନ୍ଦଳକୁ ଦାୟୀ କରିଛନ୍ତି।

ସାଙ୍ଗରେ ପରାଜିତ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଶୋକ ମିଶ୍ର କହିଛନ୍ତି, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଦଳର ପ୍ରଦର୍ଶନ ଖରାପ ହୋଇଛି ବୋଲି କହିଛନ୍ତି। ସମସ୍ତ କ୍ଷମତା ଉପଭୋଗ କରିବା ସତ୍ତ୍ୱେ ସେମାନେ ଦଳକୁ ଯେଉଁଭଳି ସମାଲୋଚନା କଲେ ତାହା ଆଦୌ ଗ୍ରହଣୀୟ ନୁହେଁ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସେମାନଙ୍କ ବୟାନରୁ ଏହା ସ୍ପଷ୍ଟ ଯେ ସେମାନେ ଅନ୍ୟ କିଛି ଦଳ ସହ ଜଡିତ ଅଛନ୍ତି।

ଝାଡ଼ସୁଗଡା ଉପନିର୍ବାଚନ ପାଇଁ ଦଳର ସ୍ଲୋଗାନ ଥିଲା ‘ମାଟି ର ପୁଅ’। କିନ୍ତୁ ଆମେ ଏଥିରେ ସଫଳ ହୋଇନାହୁଁ। ଆମେ ଭୋଟରଙ୍କ ଜନାଦେଶକୁ ସମ୍ମାନ ଦେଉଛୁ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ତରୁଣ ପାଣ୍ଡେ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ନିର୍ବାଚନ ହାରିବା ପଛର ମୂଳ କାରଣ ଏକତା ଏବଂ ଅର୍ଥ ଅଭାବ। ହେଲେ ନିର୍ବାଚନ ବେଳେ ଚିରଞ୍ଜୀବ ବିଶ୍ୱାଳ କହିଲେ ୧୪୭ ବିଧାନସଭା ଆସନରେ ଭୋଟ୍ ଦେବାକୁ ଦଳରେ ନେତା ନାହାନ୍ତି। ଏପରି କହିବା ଦଳକୁ କ୍ଷତି ପହଁଞ୍ଚାଇଛି। ଟାଣ ଖରାରରେ ଯେତେବେଳେ ଆମେ ତୁଙ୍ଗ ନେତାଙ୍କୁ ନେଇ ଭୋଟ୍ ଭିକ୍ଷା କରୁଥିଲୁ ସେହି ସମୟରେ ଦଳର ନେତା ଯେଉଁ ବୟାନ ଦେଇଛନ୍ତି ତାହା ଦୁଃଖ ଦେଇିଛ।

ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ମୋଟ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଖଣ୍ଡ ଭୋଟ୍ ପାଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪୪୭୩ ଖଣ୍ଡ ଭୋଟ୍ ପାଇଥିଲେ।

Leave A Reply

Your email address will not be published.