Latest Odisha News

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏଥିସହିତ ଦଳ ପକ୍ଷରୁ ବୁଥ ଚାଲ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବସ୍ତର ଅଞ୍ଚଳର ୧୨ ଟି ବିଧାନସଭା କ୍ଷେତ୍ରର ସବୁ ବୁଥରେ କଂଗ୍ରେସ ପହଞ୍ଚିବାକୁ ଯୋଜନା କରିଛି। ଏହି ଅଭିଯାନରେ ଦଳର ପ୍ରଭାରୀ କୁମାରୀ ଶୈଳଜା, ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପିସିସି ସଭାପତି ମୋହନ ମରକାମ ପ୍ରମୁଖ ନେତାଙ୍କ ସହ ଦଳର ୧୦ ହଜାର ନେତା ତୃଣମୂଳ ସ୍ତରରେ ପହଞ୍ଚିବେ।

ପ୍ରତି ବିଧାନସଭା କ୍ଷେତ୍ରରେ ଜଣେ ମନ୍ତ୍ରୀ କିମ୍ବା ପ୍ରମୁଖ ନେତା କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜ୍ୟରେ ୨୩ ହଜାର ବୁଥ ଥିବାବେଳେ ଦଳର ସଂଗଠନ କାର୍ଯ୍ୟ କରୁଛି। ଯେଉଁଠି ଦଳୀୟ ନେତା ପହଂଚିବାକୁ ଯୋଜନା ହୋଇଛି।

ବୁଥ ଚାଲ ଅଭିଯାନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖରେ ଦୁର୍ଗ ଅଞ୍ଚଳର ସବୁ ବିଧାନସଭା କ୍ଷେତ୍ରରେ ଅଭିଯାନ ହେବ। ଜୁନ ୩୦ ତାରିଖରେ ବିଳାଶପୁର ବିଧାନସଭା କ୍ଷେତ୍ର ଗୁଡିକରେ କାର୍ଯ୍ୟକ୍ରମ ହେବ।

ପ୍ରତି ବିଧାନସଭା କ୍ଷେତ୍ରରେ ୨୫୦ ଟି ବୁଥ ଥିବାବେଳେ ସେଠାରେ କଂଗ୍ରେସ ନେତା ପହଞ୍ଚିବେ। ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟର ବିଧାନସଭା ନିର୍ବାଚନ ସହ ଆଗକୁ ଲୋକସଭା ନିର୍ବାଚନ ହେବ। ତେଣୁ ଏ ସବୁଥିରେ ବଡ଼ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରି ଦଳ କାର୍ଯ୍ୟ କରୁଛି।

ଖାଲି ସେତିକି ନୁହେଁ ବିଧାନସଭା ସହ ଲୋକସଭା କ୍ଷେତ୍ରରେ କିଏ କେଉଁଠି ଲଢ଼ିବେ ସେ ନେଇ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଥିବା ପିସିସି ସଭାପତି ମୋହନ ମରକାମ କହିଛନ୍ତି। ତେଣୁ ବିଧାନସଭା ଟିକେଟ ବଣ୍ଟନ ବେଳେ ହିଁ ଲୋକସଭା କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଗ୍ରୀନ ସିଗନାଲ ଦିଆଯିବ ବୋଲି ସୂଚନା ମିଳିଛି। ଆଗୁଆ ସଂକେତ ଦେଲେ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ବହୁ ସମୟ ପାଇବେ ବୋଲି କୁହାଯାଇଛି।

ସେପଟେ ବିଜେପି ମଧ୍ୟ ଏଥର ଛତିଶଗଡ଼ରେ ଶାସନକୁ ଫେରିବା ପାଇଁ ଉଦ୍ୟମ କରୁଛି। ସେଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ବଡ଼ ଯୋଜନା କରିଥିବା ଆଲୋଚନା ହେଉଛି। ଛତିଶଗଡ଼ର ଦୁର୍ଗ ଅଞ୍ଚଳ ଉପରେ ବିଜେପି ନଜର ରଖିଛି।

ଏହି ଅଞ୍ଚଳରୁ ୨୦୧୮ ନିର୍ବାଚନରେ ୨୦ ସିଟ ମଧ୍ୟରୁ କଂଗ୍ରେସ ୧୮ ଟି ସିଟରେ ଜିତିଥିଲା। ଏପରିକି ଏହି ଅଞ୍ଚଳରୁ ଖୋଦ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ 6 ଜଣ ମନ୍ତ୍ରୀ ରହିଛନ୍ତି।

ତେଣୁ ଏହି କ୍ଷେତ୍ର ଉପରେ ଅମିତ ଶାହାଙ୍କ ନଜର ପଡିଛି। ଦୁର୍ଗର ୧୩ ଟି ସିଟରେ ବିଭିନ୍ନ ସମୟରେ ବିଜେପି ଜିତେ। ତେଣୁ ଏହି ଅଞ୍ଚଳ ପାଇଁ ଅମିତ ଶାହା ସ୍ଥାନୀୟ ନେତା ସ୍ଥାନୀୟ ପ୍ରସଂଗର ଫର୍ମୁଲା ଦେଇଛନ୍ତି।

ରାଜ୍ୟ ଓ କେନ୍ଦ୍ର ସ୍ତରର ଏକ ବିଶେଷ ଟିମ ଏହାକୁ ଅନୁଧ୍ୟାନ କରିବେ। ମାସକୁ ଥରେ ଅମିତ ଶାହା ଏହାର ସମୀକ୍ଷା କରିବେ। ଆସନ୍ତା ମାସେ ସୁଦ୍ଧା ପ୍ରତି ବିଧାନସଭା କ୍ଷେତ୍ରରୁ ୫ ଜଣ ଦୃଢ଼ ନେତାଙ୍କୁ ଚିହ୍ନଟ କରିବା ସହ ଜଣଙ୍କୁ ଟିକେଟ ଦିଆଯିବ।

ସାମାଜିକ ଓ ଜାତିଗତ ସମୀକରଣ ଆଧାରରେ ଏହି ଟିକେଟ ଦିଆଯିବ ବୋଲି ଆଲୋଚନା ହେଉଛି। ତେଣୁ ଛତିଶଗଡ଼ରେ ନିର୍ବାଚନ ଘୋଷଣା ପୂର୍ବରୁ ମହାସଂଗ୍ରାମର ବିଗୁଲ ବାଜିସାରିଛି। ତେଣୁ ଉଭୟ କଂଗ୍ରେସ ଓ ବିଜେପିର ରଣନୀତି ମଧ୍ୟରେ କିଏ ବାଜି ମାରୁଛି ତା ଉପରେ ନଜର।

Comments are closed.