Latest Odisha News

BREAKING NEWS

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ନବୀନଙ୍କ ସହ କେନ୍ଦ୍ର ସରକାରଙ୍କୁ ଟାଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ।

ବିଜୟ ପଚାରିଛନ୍ତି, ପାଣ୍ଡିଆନ୍ କରୁଥିବା ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ରହିଛି କି ? ଆରଟିଆଇରେ ମିଳିଥିବା ତଥ୍ୟ କହୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମତି ନାହିଁ । ତେବେ ସଚିବ କିଭଳି ହେଲିକପ୍ଟରରେ ଯାଉଛନ୍ତି ଓ ତାଙ୍କ ପାଇଁ ମାଳ ମାଳ ଗାଡ଼ି ନିୟୋଜିତ କରାଯାଉଛି ।

ଯଦି ମୁଖ୍ୟମନ୍ତ୍ରୀ ସମ୍ମତି ଦେଇ ନାହାନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ତ ? ଯଦି ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ନାହିଁ ତାହେଲେ ସେ ବନ୍ଦ କାହିଁକି କରୁ ନାହାନ୍ତି । ସୋସିଆଲ୍ ମିଡିଆରେ ଆମେ ଦେଖୁଛୁ ଗସ୍ତ ସମ୍ପୂର୍ଣ୍ଣ ପ୍ରାୟୋଜିତ । ଏଭଳି କରିବା ସର୍ଭିସ୍ କଣ୍ଡକ୍ଟ ବୁକର ଉଲ୍ଲଂଘନ । ଏଭଳି କରି ନିୟମ ଭଙ୍ଗ କରାଯାଉଥିବା କହିଛନ୍ତି ବିଜୟ ପଟ୍ଟନାୟକ ।

କେବଳ ମୁଖ୍ୟମନ୍ତ୍ରୀ ନୁହଁ କେନ୍ଦ୍ର ସରକାର କାହିଁକି ପ୍ରସଙ୍ଗରେ ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ବିଜେପି ସାଂସଦ ଓ ଅନ୍ୟ ନେତା ପାଣ୍ଡିଆନଙ୍କ ଗସ୍ତକୁ ନେଇ ମୁହଁ ଖୋଲୁଥିବା ବେଳେ କେନ୍ଦ୍ର ସରକାର କାହିଁକି ରାଜ୍ୟକୁ ପଚାରୁ ନାହାନ୍ତି । ନବୀନଙ୍କ ପ୍ରତି ବିଜେପିର କିଛି ଦୁର୍ବଳତା ରହିଛି କି ? ଏଭଳି କହି ରାଜ୍ୟ ସହ କେନ୍ଦ୍ର ସରକାରଙ୍କୁ ଟାଣିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ତେବେ ଏନେଇ ବିଜେପି ଓ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.