ଜୟପୁର: ବିଧାନସଭା ଭିତରେ ରାତି କଟାଇଲେ ବିଧାୟକ । ଖାଲି ରାତି ବିତାଇ ନାହାନ୍ତି, ରାତି ସାରା ବିଧାନସଭା ଭିତରେ, ତାଳି ମାରି କୀର୍ତ୍ତନ ଜାରି ରଖିଥିଲେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଙ୍ଗତ କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିଜେପି ନେତାଙ୍କ ବୟାନକୁ ନେଇ ରାଜସ୍ଥାନରେ ଏବେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି । ବିଜେପି ମନ୍ତ୍ରୀ ଅଭିନାଶ ଗେହଲଟ୍ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ଏକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି ।
ଗତକାଲି ଏଭଳି ହାଇଡ୍ରାମା ରାଜସ୍ଥାନ ବିଧାନସଭାରେ ଦେଖିବାକୁ ମିଳିଥିବା ବେଳେ, ହୋହଲ୍ଲା ମଧ୍ୟରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଆଉ ହଟ୍ଟଗୋଳ ପାଇଁ ୬ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଯେଉଁଥିରେ ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂହ ଡୋଟାସରା ମଧ୍ୟ ସାମିଲ ଅଛନ୍ତି । ଏହାପରେ ତକିଆ କମ୍ବଳ ଧରି ବିଧାନସଭାରେ ପହଞ୍ଚି ଯାଇଥିଲେ କଂଗ୍ରେସ ବିଧାୟକ । ଆଉ ରାତିସାରା ବିଧାନସଭା ଭିତରେ ହାଇଡ୍ରାମା ଜାରି ରହିଥିଲା । ରାତିସାରା କଂଗ୍ରେସ ବିଧାୟକ ମାନେ ପ୍ରତିବାଦ ଜାରି ରଖିଥିବା ବେଳେ, କେତେବେଳେ ଭଜନ ଏବଂ କୀର୍ତ୍ତନ ଗାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ତ ଆଉ କେତେବେଳେ ଭିନ୍ନ ଭିନ୍ନ ସ୍ଥାନରେ ଶୋଇଥିବାର ମଧ୍ୟ ଦେଖାଦେଇଥିଲା । ଆଉ ଏହି ପ୍ରତିବାଦର ଗୋଟିଏ ଦାବି ରହିଥିଲା ଯେ, ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଉ ।
ତେବେ ରାଜସ୍ଥାନର ବିଜେପି ମନ୍ତ୍ରୀ ଅଭିନାଶ ଗେହଲଟ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ ‘ଅନୁପଯୁକ୍ତ’ ଶବ୍ଦ ବ୍ୟବହାର କରିଥିଲେ। ପ୍ରଶ୍ନକାଳରେ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଗେହଲଟ୍ ବିରୋଧୀ ଦଳକୁ ଇଙ୍ଗିତ କରି କହିଥିଲେ, ସବୁବେଳ ପରି, ୨୦୨୩-୨୪ ବଜେଟରେ ମଧ୍ୟ ଆପଣ କର୍ମଜୀବୀ ମହିଳା ହଷ୍ଟେଲ ଉପରେ ଆଧାରିତ ଥିବା ଯୋଜନାକୁ ଆପଣଙ୍କ ଜେଜେମାଆ(ଦାଦି) ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିଥିଲେ ।
ଯାହାକୁ ବିରୋଧୀ ଦଳ ନେତା ଟିକା ରାମ ଜୁଲି କଡା ପ୍ରତିବାଦ କରିଥିଲେ । ମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜେଜେମାଆ ଶବ୍ଦ ପ୍ରୟୋଗ କରିବା ଅନୁପଯୁକ୍ତ । ଏହାକୁ ରେକର୍ଡରୁ ହଟାଇବା ପାଇଁ ଦାବି କରିଥିଲେ । ଏହା ପରେ ଅନେକ କଂଗ୍ରେସ ବିଧାୟକ ସ୍ଲୋଗାନ ଦେବା ଆରମ୍ଭ କରି ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା ଆରମ୍ଭ କରିଥିଲେ । କଂଗ୍ରେସ ବିଧାୟକମାନଙ୍କ ନାରାବାଜିରେ ଗୃହର କାର୍ଯ୍ୟକୁ ତିନି ତିନିଥର ମୁଲତବୀ ରଖିଥିଲେ ବାଚସ୍ପତି । ଏଥିସହିତ କଂଗ୍ରେସ ବିଧାୟକମାନେ ଗୃହରେ ଅଶାଳୀନ ଏବଂ ନିନ୍ଦନୀୟ ଆଚରଣ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବଜେଟ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ପିସିସି ସଭାପତି ଗୋବିନ୍ଦ ସିଂହ ଡୋଟାସରାଙ୍କ ସମେତ କଂଗ୍ରେସର ୬ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଯାହାକୁ ନେଇ ରାତିସାରା ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ।
Comments are closed.