Latest Odisha News

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ, ନରସିଂହ କହିଲେ ମୁଖ୍ୟମନ୍ତ୍ରୀ ଡାକନ୍ତୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: କାଲି ଅର୍ଚ୍ଚନା ଆଜି ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍ ହୋଇଛି । ହଟ୍ଟଗୋଳ ଭିତରେ ପ୍ରଥମେ ପ୍ରଶ୍ନକାଳ ଓ ପରେ ଧୋଇ ହୋଇ ଯାଇଛି ଶୂନ୍ୟକାଳ । ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ ।

ବିଧାନସଭା ଭିତରେ ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ ପରେ ଗୃହ ମୁଲତବି ହେବା ପରେ ବାହାରେ ବି ବିଜେପି ପ୍ରତିବାଦ କରିଥିଲା । ଗୃହ ଭିତରେ ଚାଷୀ ପ୍ରସଙ୍ଗରେ ଚୁପ୍ ଥିବା ଶାସକ ଦଳ ବିଧାନସଭା ବାହାରେ ବିରୋଧୀଙ୍କ ଢଙ୍ଗରେ ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ପ୍ରତିବାଦ କରିଛି ।

ବିଜେଡି, ବିଜେପିର ପ୍ରତିବାଦ ପତିଆରା ଲଢ଼େଇ ଠାରୁ ଦୂରେଇ ରହିଥିବା କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି- ସମସ୍ତଙ୍କ ହୃଦୟ ଚାଷୀଙ୍କ ପାଇଁ କାନ୍ଦୁଛି । ସମସ୍ତ ଦଳ ଚାଷୀଙ୍କ ସପକ୍ଷରେ ଅଛନ୍ତି, ଚାଷୀ ମଧ୍ୟ ସେମାନଙ୍କ ଦାବି ରଖିଛନ୍ତି । ବିଧାନସଭାରେ ବିରୋଧୀ, ଶାସକ ପରସ୍ପରକୁ ଗାଳି ନଦେଇ ମୁଖ୍ୟମନ୍ତ୍ରୀ ସବୁ ଦଳର ନେତାଙ୍କୁ ଡାକି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ନରସିଂହ ମିଶ୍ର ।

ସେ ଆହୁରି କହିଛନ୍ତି, ଆଲୋଚନା କରି ଚାଷୀଙ୍କ ଦାବି ଗ୍ରହଣ କରାଯାଉ । ଦିନେ ଦୁଇଦିନ ଭିତରେ ବିଧିବଦ୍ଧ ଭାବେ ଆଇନ୍ ତିଆରି କରାଯାଉ । ଆଇନରେ ବ୍ୟବସ୍ଥା ରହୁ ଯିଏ ଆଇନ୍ ଅମାନ୍ୟ କରିବ ତାକୁ ୭ ବର୍ଷ ଜେଲ୍ ସହ ଜରିମାନା କରାଯିବ । ଏଥିରେ ସମସ୍ୟାର ସମାଧାନ ହୋଇଯିବ । ଯିଏ ରାଜି ହେବନି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଧରାଯିବ । ଯଦି ମୁଖ୍ୟମନ୍ତ୍ରୀ ବୈଠକ ଡାକିବେ ନାହିଁ ତ ଧରି ନିଆଯିବ ନବୀନ ଚାଷୀ ସମସ୍ୟାର ସମାଧାନ ଚାହୁଁ ନାହାଁନ୍ତି ।

Leave A Reply

Your email address will not be published.