Latest Odisha News

ଗେହଲୋଟ, ପାଇଲଟଙ୍କ କଥା ଶୁଣୁନାହାନ୍ତି ରାହୁଲ, ସର୍ଭେ ରିପୋର୍ଟ ଅନୁଯାୟୀ ନିଷ୍ପତ୍ତି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଏଥର ସମ୍ପୂର୍ଣ୍ଣ ଭିନ୍ନ ରଣନୀତି ସହ ଲଢୁଛି। କୌଣସି ଶୀର୍ଷ ନେତୃତ୍ୱଙ୍କ କଥାରେ ନୁହେଁ ବରଂ ସମ୍ପୁର୍ଣ୍ଣ ସର୍ଭେ ରିପୋର୍ଟ ଆଧାରରେ ହିଁ ଦଳ କାର୍ଯ୍ୟ କରୁଛି।

ନା ମୁଖ୍ୟମନ୍ତ୍ରୀ ଗେହଲୋଟ ନା ଅନ୍ୟତମ ପ୍ରମୁଖ ନେତା ସଚିନ ପାଇଲଟ କାହା କଥାକୁ ଏତେ ଅଧିକ ଗୁରୁତ୍ୱ ଦିଆଯାଉ ନାହିଁ। ଉଭୟ ନେତାଙ୍କ ସବୁ ସମର୍ଥକ ମାନଙ୍କୁ ଟିକେଟ ମଧ୍ୟ ମିଳୁ ନାହିଁ।

ରିପୋର୍ଟ ଆଧାରରେ ଯେଉଁଠି ବିଧାୟକ ମାନେ ବଦନାମ ହୋଇଛନ୍ତି ସେଠି ସଂପୃକ୍ତ ବିଧାୟକ ଯାହାର ନିଜ ଲୋକ ହେଲେ ମଧ୍ୟ ତାଙ୍କ ଟିକେଟ କଟୁଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକିଛି ଓ ବିଦ୍ରୋହ ମଧ୍ୟ ଆରମ୍ଭ ହୋଇଛି।

କିନ୍ତୁ ଦଳ ସମ୍ପୂର୍ଣ୍ଣ ଭିନ୍ନ ରଣନୀତି ନେଇ କାମ କରୁଛି। ଦଳ ପକ୍ଷରୁ ରାଜସ୍ଥାନରେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ନିଜର ଚତୁର୍ଥ ସୂଚୀରେ ୫୬ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ପଞ୍ଚମ ସୂଚୀରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।

ଉଭୟ ତାଲିକାକୁ ଦେଖିଲେ ଦଳ ୬୧ ଟି ସିଟରେ ୩୫ ଜଣ ନୂଆ ପ୍ରାର୍ଥୀ ଦେଇଛି। ଯେଉଁ ତାଲିକାକୁ ଦେଖିଲେ ଉଭୟ ଗେହଲୋଟ ଓ ପାଇଲଟଙ୍କ ସମର୍ଥକ ମାନଙ୍କ ବହୁ ନାଁ ବାଦ ପଡିଛି। ଏପରିକି କର୍ଣ୍ଣାଟକ ଢାଞ୍ଚାରେ ରାଜସ୍ଥାନରେ କିଛି ରଣନୀତିର ପ୍ରୟୋଗ କରିବାକୁ ଯାଉଛି ଦଳ। କିଛି ଲୋକପ୍ରିୟ ଚେହେରାଙ୍କୁ ଦଳ ନିର୍ବାଚନକୁ ଓଲ୍ହାଇଵାକୁ ଯାଉଛି।

ରାଜସ୍ଥାନର ୨୦୦ ବିଧାନସଭା ସିଟ ମଧ୍ୟରୁ ଦଳ ୧୫୬ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଉ ୪୪ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଯେଉଁଥିରେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ନିଜ ଲୋକ କୁହାଯାଉଥିବା ମନ୍ତ୍ରୀ ଶାନ୍ତି ଧାରିବାଲ ,ମହେଶ ଯୋଶୀ ପ୍ରମୁଖ ରହିଛନ୍ତି।

କିନ୍ତୁ ଦଳର ଚତୁର୍ଥ ଓ ପଞ୍ଚମ ପ୍ରାର୍ଥୀ ତାଲିକା ଆସିବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଦେଖିବାକୁ ମିଳିଛି। ଶିବାନା ବିଧାନସଭା ସିଟରେ ଦଳ ବିଜେପିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା କର୍ଣେଲ ମାନବେନ୍ଦ୍ର ସିଂଙ୍କୁ ଟିକେଟ ଦେଇଛି। ଯେଉଁଥିପାଇଁ ଅନ୍ୟତମ ପ୍ରମୁଖ ଆଶାୟୀ ସୁନୀଲ ପରିହାରଙ୍କ ସମର୍ଥକ ମାନେ ବିଦ୍ରୋହ ଆରମ୍ଭ କରିଛନ୍ତି।

ଏହି ଆସନରେ କଂଗ୍ରେସର ବହୁ ନେତା ଟିକେଟ ଆଶାୟୀ ରହିଥିଲେ। ସୁନୀଲ ପରିହାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିକଟତମ ବୋଲି କୁହାଯାଏ। କିନ୍ତୁ ଏହି ସିଟରେ ପୂର୍ବତନ ଅର୍ଥମନ୍ତ୍ରୀ ଜଶୱନ୍ତ ସିଂଙ୍କ ପୁଅ ତଥା ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିବା କଂଗ୍ରେସ ମହଲକୁ ଚମକାଇ ଦେଇଛି।

ସେହିପରି ଆହୁରି ଅନ୍ୟ ସିଟରେ ମଧ୍ୟ କଂଗ୍ରେସ ଆଶାୟୀ ମାନେ ଟିକେଟ ନ ପାଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ତେଣୁ ଭିନ୍ନ ରଣନୀତି ନେଇ କାମ ଆରମ୍ଭ କରିଥିବା କଂଗ୍ରେସ ରାଜସ୍ଥାନରେ ବିରୋଧୀଙ୍କୁ ମନାଇ କେତେଦୂର ସଫଳ ହୋଇପାରିବ ତାକୁ ନେଇ ଆଲୋଚନା ଜୋର ଧରିଛି।

ପୁରୁଣା ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ଵିତୀୟ ବାର ଶାସନକୁ ଆସିବାକୁ ଉଦ୍ୟମ କରୁଥିବା କଂଗ୍ରେସର ଏହି ଭିନ୍ନ ରଣନୀତି ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.