Latest Odisha News

BREAKING NEWS

‘କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପିସି ପରିମାଣ ହେଉଛି ୧ ହଜାର ୧୯ କୋଟି’

ଭୁବନେଶ୍ୱର: ବିଜେଡି ସରକାର ହେଉଛି ୩୦% ର ପିସି ସରକାର । ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । ବିଜେଡିର ମନ୍ତ୍ରୀ, ନେତା, ଯନ୍ତ୍ରୀ, ଅଫିସର ମାନେ ଏଥିରେ ସଂପୃକ୍ତ । ପିସି ରୁ ଆଦାୟ ଅର୍ଥ ବିଜେଡି ଦଳର ନିର୍ବାଚନ ଖର୍ଚ୍ଚରେ ବ୍ୟବହୃତ ହେଉଛି । ନବୀନ-ପାଣ୍ଡିଆନ ଙ୍କ ‘ମୋ ସରକାର’ ବାସ୍ତବରେ ପିସି ସରକାର । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ ।

କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଏହି ଅଭିଯୋଗ ଆଣି କହିଛନ୍ତି, ‘କେବଳ ପଞ୍ଚାୟତ ଓ ପଞ୍ଚାୟତ ସମିତି ଗୁଡିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ୨୦ ରୁ ୪୦ ପ୍ରତିଶତ ପିସି ନିଆଯାଉଛି । ୨୦୧୭ ମସିହା ଜୁନ୍ ମାସରେ ରାଜ୍ୟର ପଞ୍ଚାୟତ ଗୁଡିକରେ ପିସି କାରବାର କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁସାରେ ସେହି ଜୁନ୍ ମାସରେ ୨୫୮ ଜଣ ପିସି କାରବାରରେ ଲିପ୍ତ ସରକାରୀ କର୍ମଚାରୀ ଓ ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ବିଧାନସଭାରେ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ସ୍ୱର୍ଗତଃ ପ୍ରଦୀପ ମହାରଥୀ କହିଥିଲେ । ମାତ୍ର ତାପରେ ନବୀନ ବାବୁ ସେ କଥା ଭୁଲିଗଲେ’ ।

ସେ ଆହୁରି କହିଛନ୍ତି ଯେ, ଏବେ ପଞ୍ଚାୟତ ଓ ପଞ୍ଚାୟତ ସମିତି ଗୁଡିକରେ ପିସି କାରବାର ଖୋଲାଖୋଲି ଚାଲିଛି । ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଓ ତଥାକଥିତ ୫-ଟି ଅଧ୍ୟକ୍ଷଙ୍କ ଗୋଚରରେ ଏହା ଚାଲୁଛି ଓ ଏହି ପିସି ଅର୍ଥ ବିଜେଡି ଦଳର ନିର୍ବାଚନ କାର୍ଯ୍ୟରେ ଲାଗୁଛି ବୋଲି ଶ୍ରୀ ଦାସ ଅଭିଯୋଗ ଆଣିଛନ୍ତି ।

କେବଳ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ଏକ ଉଦାହରଣ ଭାବରେ ନେଇ ଶ୍ରୀ ଦାସ କହିଛନ୍ତି, ‘ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେଉଛି । ହାରାହାରି ୩୦% ପିସି କୁ ହିସାବକୁ ନେଲେ ପାଖା ପାଖି ୧୦୧୯ କୋଟି ଟଙ୍କା ଆତ୍ମସାତ ହେଉଛି । ସେହିପରି ୫-ଟି ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୨୬୮ କୋଟି ଖର୍ଚ୍ଚ ହେଉଛି । ୩୦% ପିସି ହିସାବରେ ଏଥିରୁ ୩୮୦ କୋଟି ଟଙ୍କା ଚଳୁ କରାଯାଇଛି’ ।

ସେହିପରି ସ୍ୱଚ୍ଛ ଶାସନର ବାହାବା ନେଉଥିବା ପାଣ୍ଡିଆନ ମହୋଦୟ ଏହାକୁ ଅସ୍ୱିକାର କରିପାରିବେ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ବିଜେଡି ଦଳର ନେତା ବା ପ୍ରବକ୍ତା ମାନଙ୍କର ଯଦି ସତ ସାହସ ଅଛି ତେବେ ଗଣମାଧ୍ୟମ ଆଗରେ ଏହାକୁ ଖଣ୍ଡନ କରିବା ପାଇଁ ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ପଞ୍ଚାୟତ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିଶ୍ଵାସକୁ ନିଆଯାଇନାହିଁ । ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କୁ ଅଣଦେଖା କରି ବିଭିନ୍ନ ବିଭାଗ ଦ୍ଵାରା ଠିକାଦାର ମାନଙ୍କୁ ନିଯୁକ୍ତ କରି କାମ କରାଯାଉଛି । ରାଜ୍ୟର ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ମାନେ ଏହାର ବିରୋଧ କରିଛନ୍ତି । ମାନ୍ୟବର ହାକୋର୍ଟଙ୍କ ପରେ ମଧ୍ୟ ସରକାର ହୋସ୍ କୁ ଆସୁନାହାନ୍ତି । ଏଭଳି ସମ୍ବିଧାନ ବିରୋଧୀ ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ଓଡ଼ିଶାର ପ୍ରତ୍ୟେକଟି ପଞ୍ଚାୟତ ପ୍ରତିନିଧି ବିରୋଧ କରିବାକୁ କଂଗ୍ରେସ ଦଳ ଆହ୍ୱାନ ଦେଇଛି ।

Leave A Reply

Your email address will not be published.