Latest Odisha News

BREAKING NEWS

ମହଙ୍ଗା ମାଡ଼ ଓ ବେରୋଜଗାର ବିରୋଧୀ ଅଭିଯାନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅହେତୁକ ବୃଦ୍ଧି ଘଟିଛି । ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କହିଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା, ମୁଢ଼ି, ଦହି, ଖଇ, ଉଖୁଡ଼ା, ଅଟା, ପେନସିଲ, କଟର, ନୋଟ ଖାତା ଇତ୍ୟାଦି ଉପରେ ୫% ଜିଏସଟି ଲାଗୁ କରିଛନ୍ତି ।

କଂଗ୍ରେସ କେନ୍ଦ୍ରରେ ଶାସିତ ଭାଜପା ସରକାରର କାର୍ଯ୍ୟକାରିତାକୁ କଡ଼ା ସମାଲୋଚନା କରିଛି । ମୁଦ୍ରା ସ୍ପୀତି ଆଜି ସର୍ବୋଚ୍ଚ ସ୍ତରରେ । ବେକାରୀ ସମସ୍ୟାକୁ ସମାଧାନ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଦେଶ ୭୫ତମ ବର୍ଷ ସ୍ୱାଧୀନତାର ପୂର୍ତ୍ତି ପାଳନ କରୁଥିବା ବେଳେ ଭାରତ ବର୍ଷର ଭବିଷ୍ୟତ ୧୪ କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି ।

ଶ୍ରମିକ,କୃଷକ, ସାଧାରଣ ବର୍ଗ, ମହିଳା ଓ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ବିରୋଧ କରି ଏବଂ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ କଂଗ୍ରେସ ‘ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ’ ରୂପରେଖ ପ୍ରସ୍ତୁତ କରିଛନ୍ତି ।

ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି କାର୍ଯ୍ୟକ୍ରମ ପାଇଁ ଆହ୍ୱାନ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସାରା ଭାରତ ବର୍ଷରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ‘ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ’ ଚାଲିବ ।

ରବିବାର କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟରେ କିପରି ସଫଳ କରାଯାଇ ପାରିବ ସେଥି ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଛନ୍ତି ପିସିସି ସଭାପତି ।

ରବିବାର ବୈଠକରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସାଂସଦ ତଥା ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ଡ. ଯୁଧିଷ୍ଠୀର ଜେନା, ଡ.ରବି ସେଠୀ, ବିଜୟ ଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, କୁମାର ଚିରଞ୍ଜୀବ, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.