Latest Odisha News

ବିବାଦରେ ଦାମ ରାଉତଙ୍କ ବିଧାୟକ ପୁଅ, କହିଲେ ଅଭିଯୋଗ ଭିତ୍ତିହୀନ

ଜଗତସିଂହପୁର: ସର୍ବସାଧାରଣରେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ଥାନାରେ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ନେତ୍ରୀ ଭାବେ ପରିଚୟ ପାଇଥିବା ପୀଡ଼ିତା କାଞ୍ଚନ ସ୍ୱାଇଁ ଓ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଦୁଇଟି ଅଭିଯୋଗ କରାଯାଇଛି।

ଉଭୟ ଅଭିଯୋଗରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଥିସହିତ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ଚେତାବନୀ ଦେଇଛି।

ବିଧାୟକ ଯେଉଁଭଳି ଭାବେ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି, ତାକୁ ଆମେ ନିନ୍ଦା କରୁଛୁ। କେବଳ ରାଉତରାୟ ନୁହନ୍ତି, ବିଜେଡିର ସମସ୍ତ ନେତା ଓ କର୍ମୀ ମଧ୍ୟ ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ବିଜେପି ନେତା ସମ୍ପଦ ସ୍ୱାଇଁ କହିଛନ୍ତି। ଏ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ ହେବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ତେବେ ବିଧାୟକ ସମ୍ବିତ ରାଉତରାୟ ଏକ ଭିଡିଓ ବାର୍ତ୍ତାରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳା ଜଣକଙ୍କ ସହ ସେ ଦୁର୍ବ୍ୟବହାର କରିନାହାନ୍ତି କି ଅସଦାଚରଣ କରିନାହାନ୍ତି ବୋଲି କହିଛନ୍ତି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ସଦସ୍ୟ ଏହାକୁ ଅନ୍ୟଥା ରଙ୍ଗ ଦେଇ ନିଜ ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଅଭିଯୋଗ ଆଣିବାକୁ ସଂପୃକ୍ତ ଦଳୀୟ ନେତ୍ରୀଙ୍କୁ ଉସକାଇଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.