ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା

ଭୁବନେଶ୍ବର : ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖି ନାମ ପଞ୍ଜିକରଣ କରି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଶେଷ କରିବାକୁ କହିଛନ୍ତି । ଏହାସହ ସେ କହିଛନ୍ତି, କାରଣ ନଥାଇ ଟିକା ନ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ତାଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ । ଏପରିକି ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ଇତ୍ୟାଦି ସରକାରୀ ସୁବିଧାରୁ ବଞ୍ଚିତ ହେବେ ଟିକା ନେଇନଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି । ଏବେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବା ପ୍ରକ୍ରିୟା ଜାରି ରହିଛି । ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦେବା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ତେଣୁ ବାରମ୍ବାର କୁହାଯିବା ପରେ ବି ପଞ୍ଜିକୃତ କିଛି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ନେଇ ନଥିବା ଜଣାପଡିଛି ।