Latest Odisha News

BREAKING NEWS

କରୋନାର କରୁଣ ଚିତ୍ର, ଗୋଟିଏ ପୁଅର ଶବ ସତ୍କାର କରି ଫେରିବା ବେଳକୁ ଆଉ ଏକ ପୁଅ ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ଏବେ ସହରରେ ସୀମିତ ନାହିଁ । ଗାଁରେ ପାଦ ଥାପିଥିବା କରୋନାର କରୁଣ ଚିତ୍ର ହୃଦୟକୁ ଭାଙ୍ଗି ଦେଉଛି । ସ୍ଥିତି ଏମିତି ସଙ୍ଗୀନ ହୋଇଛି କି, ଗାଁରେ ଏକାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏମିତି ଏକ ମାମଲା ଆସିଛି ପଶ୍ଚିମ ନୋଏଡ଼ାର ଜଲାଲପୁର ଗାଁରୁ । ଯେଉଁଠି ଜଣେ ବୃଦ୍ଧ ବାପା କରୋନାରେ ଦୁଇ ଦୁଇ ଜଣ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ।

ଜଲାଲପୁରରେ ଗୋଟିଏ ପୁଅର ଶବକୁ ଶ୍ମଶାନରେ ମୁଖାଗ୍ନି ଦେଇ ଘରକୁ ଫେରିବା ବେଳେ ବାପା ସ୍ୱପ୍ନରେ ଭାବି ନଥିଲେ ଏମିତି ହେବ । କିଛି ସମୟ ମଧ୍ୟରେ ଆଉ ଏକ ପୁଅର ମୃତଦେହକୁ କାନ୍ଧ ଦେବାକୁ ହେବ । କରୋନା କାଳରେ କଳ୍ପନା ବାହାରେ ଏମିତି ଏକ ଘଟଣା ପୂରା ପରିବାରର ବିଶ୍ୱାସକୁ ଦୋହଲାଇ ଦେଇଛି । ଜଲାଲପୁରରେ ରହୁଥିବା ଅତର ସିଂହଙ୍କ ପୁଅ ପଙ୍କଜଙ୍କ ଅଚାନକ ମୃତ୍ୟୁ ହୋଇଥିଲା । ପଙ୍କଜଙ୍କୁ ମୁଖାଗ୍ନି ଦେଇ ଘରକୁ ସମସ୍ତେ ଫେରୁଥିଲେ । ଘରେ ପହଞ୍ଚୁ ପହଞ୍ଚୁ କରୋନା ସହ ଲଢ଼ୁଥିବା ଆଉ ଜଣେ ପୁଅ ଦୀପକର ବି ପ୍ରାଣ ଚାଲିଗଲା ।

ଦୁଇ ଦୁଇ ଜଣ ରୋଜଗାରିଆ ପୁଅକୁ ହରାଇ ପରିବାରର ପ୍ରାଣ ଖସିଯାଇଛି । ମାଆ ପୁଅର ମୃତ୍ୟୁକୁ ସ୍ୱିକାର କରି ନପାରି ବାରମ୍ବାର ମୂର୍ଚ୍ଛା ଯାଉଛି । ଜଲାଲପୁର ଗାଁରେ ଗତ ୧୦ ଦିନ ମଧ୍ୟରେ ୬ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଏପ୍ରିଲ୍ ୨୮ରୁ ଗାଁରେ ମୃତ୍ୟୁର ତାଣ୍ଡବ ଲୀଳା ଆରମ୍ଭ ହୋଇଥିଲା । ଗାଁର ଋଷି ନଗରଙ୍କ ହଠାତ୍ ମୃତ୍ୟୁର ଦୁଇ ଦିନ ତାଙ୍କ ପୁଅ ପ୍ରାଣ ହରାଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଗାଁରେ ଅଧିକାଂଶ ମୃତ୍ୟୁ ଘରେ ହେଉଛି । ପ୍ରାୟ ଲୋକଙ୍କୁ ଜର ପରେ ଅମ୍ଲଜାନ ଅଭାବ ପଡ଼ୁଛି ପୁଣି ମୃତ୍ୟୁ ହେଉଛି । ଏହାକୁ ନେଇ ଗାଁରେ ଲାଗି ରହିଛି ଆତଙ୍କ ।

Leave A Reply

Your email address will not be published.