Latest Odisha News

BREAKING NEWS

ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

ମୁମ୍ବାଇ: ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ । ଘର ଭିତରେ ମୃତ ଦେହ ପଡ଼ିଥିବା ବେଳେ ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ । ଅନେକ ସମୟ ପର୍ଯ୍ୟନ୍ତ କୁନି ଝିଅଟିର କାନ୍ଦ ଶୁଣିବା ପରେ ପଡୋଶୀମାନେ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ ଘର ଖୋଲି ଦେଖିବାରୁ ବାଲାଜୀ ଦମ୍ପତ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

ଆମେରିକା ନ୍ୟୁଜର୍ସି ଦକ୍ଷିଣ ଆର୍ଲିଙ୍ଗଟନ ଆପାର୍ଟମେଣ୍ଟରେ ବାଲାଜୀ ଭାରତ ରୁଦ୍ୱଓ୍ୱାର ଓ ଆରତୀ ବାଲାଜୀ ରୁଦ୍ରଓ୍ୱାର ନାମକ ଦମ୍ପତ୍ତି ନିଜର ଗୋଟିଏ ୪ ବର୍ଷର ଝିଅ ସହ ଘର ଭଡା ନେଇ ରହୁଥିଲେ । ବାଲାଜୀ ଭରତଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଆରତୀ ବାଲାଜୀଙ୍କ ବୟସ ୩୦ । ଏହି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନ୍ୟୁଜର୍ସି ପୋଲିସ କହିଛି । 

ବାଲାଜୀ ଭରତ ରୁଦ୍ରଓ୍ୱାର ଜଣେ ସଫ୍ଟୱେର ଇଞ୍ଜିନିୟର ଥିଲେ। ସେ ଡିସେମ୍ୱର ୨୦୧୪ରେ ଆରତୀଙ୍କୁ ବିବାହ କରିଥିଲେ । ବିବାହ ପରେ ଆମେରିକାରେ ବାଲାଜୀ ଚାକିରି ପାଇଥିଲେ । ଆଉ ଅଗଷ୍ଟ ୨୦୧୫ରେ ଆରତୀଙ୍କୁ ନେଇ ବାଲାଜୀ ଆମେରିକା ଚାଲି ଯାଇଥିଲେ । ବାଲାଜୀଙ୍କ ନିଜ ଘର ମହାରାଷ୍ଟ୍ରର ବିଡ଼ ଜିଲ୍ଲାରେ । ତାଙ୍କ ବାପା ଜଣେ ବ୍ୟବସାୟୀ ।

ପୁଅ-ବୋହୂଙ୍କ ମୃତ ଶରୀରର ଭାରତରେ ପହଞ୍ଚିବାକୁ ୮-୧୦ ଦିନ ସମୟ ଲାଗିବ ବୋଲି ଆମେରିକା ପ୍ରଶାସନ ଜଣାଇଥିବା କହିଛନ୍ତି ବାଲାଜୀଙ୍କ ବାପା ଭରତ । ସେ କହିଛନ୍ତି ଯେ ମୋ ବୋହୂ ୭ ମାସର ଅନ୍ତସତ୍ତ୍ୱା ଥିଲେ ଆମେ ଆଉ କିଛିଦିନ ପରେ ପୁଅ ବୋହୁଙ୍କ ପାଖରେ ଯାଇ ଆମେରିକାରେ ରହିବାର ଥିଲା । ହେଲେ ଏଭଳି ଅଘଟଣା କାହିଁକି ହେଲା ଏମାନଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପୁଅ-ବୋହୂ ମଧ୍ୟରେ କୌଣସି କଳହ ନଥିଲା । ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ଥିଲା । ପାଖ ପଡ଼ୋଶୀଙ୍କ ସହ ବି ପୁଅ-ବୋହୂଙ୍କର ଭଲ ସଂପର୍କ ଥିଲା । ହଠାତ ପୁଅ-ବୋହୂଙ୍କ ମୃତ୍ୟୁ ଖବର ପାଇ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛୁ । କେହି ସେମାନଙ୍କୁ ହତ୍ୟା କରିଥିବା ଆମର ସନ୍ଦେହ ହେଉଛି ।

Leave A Reply

Your email address will not be published.