କୋରାପୁଟ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ। ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ମୃତକ ନନ୍ଦପୁର ଥାନା ଗେରୁପୁଟ ଗାଁର ବଳରାମ ଗୋଲେଲ୍ ଓ ବଲା ଗୋଲେଲ୍ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ବଳରାମ ଗାଲେଲ୍ ଓ ବଲା ଗାଲେଲ୍ ନନ୍ଦପୁର ହାଟ ପଦା ନିକଟରେ ଏକ ଚା ଦୋକାନ କରନ୍ତି। ସୋମବାର ସନ୍ଧ୍ୟା ସମୟରେ ସ୍ୱାମୀ-ସ୍ତ୍ରୀ କାଠ ଆଣିବା ପାଇଁ ଉଭୟ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ। ଶେଷରେ ଗାଁ ଲୋକେ ତାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ। କିଛି ସମୟ ଧରି ଖୋଜିବା ପରେ ଜଙ୍ଗଲ ଭିତରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସହିତ ଉଭୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା।
ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଅନ୍ୟପଟେ ନନ୍ଦପୁର ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି। ପୋଲିସ ତଦନ୍ତର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କୁହାଯାଉଛି ।
Comments are closed.