Latest Odisha News

BREAKING NEWS

ବାତ୍ୟା ଆଣୁଛି ବର୍ଷା ପବନ: କାଲିଠୁ ତିନି ଦିନ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି । ଓଡ଼ିଶା ଉପକୂଳ ମୁହାଁ ହେଲେ ବି ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ବାତ୍ୟା ସାଙ୍ଗରେ ବର୍ଷା ପବନ ନେଇ ଆସୁଛି । ଅସାନ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ । କାଲିଠୁ ଆରମ୍ଭ ହେବ ବର୍ଷା । କାଲି ସନ୍ଧ୍ୟା ପରଠାରୁ ଉପକୂଳର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୧୧ ତାରିଖରେ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭-୧୧ ସେମି) ହୋଇପାରେ । ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ ପବନର ବେଗ ୪୦-୫୦ କିଲୋମିଟର ରହିପାରେ । ପବନର ବେଗ ବଢ଼ି ସର୍ବାଧିକ ୬୦ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Leave A Reply

Your email address will not be published.