Latest Odisha News

BREAKING NEWS

ବାତ୍ୟା ଜୱାଦ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଓଡିଶା ଓ ଆନ୍ଧ୍ର ଉପରେ ଏହାର ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।ସମସ୍ତ ଜରୁରୀ ସେବା ବଜାୟ ରଖିବା ସହ କ୍ଷତିଗ୍ରସ୍ତ ହେବା ସ୍ଥିତିରେ ତୁରନ୍ତ ପୁନରୁଦ୍ଧାର ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟାର ପ୍ରଭାବୀ ମୁକାବିଲା ଲାଗି ସମସ୍ତ ସମ୍ପୃକ୍ତ ମନ୍ତ୍ରାଳୟ ଓ ଏଜେନ୍ସିଗୁଡିକ ସମନ୍ୱୟ ଢଙ୍ଗରେ କାର୍ଯ କରୁଛନ୍ତି। ଡଙ୍ଗା, ଗଛକଟା,ଟେଲି ଯୋଗାଯୋଗ ଉପକରଣ ଆଦି ସହିତ ୨୯ ଟି ଦଳକୁ ନିୟୋଜିତ କରିଛି ଏନଡିଆରଏଫ୍। ୩୩ ଟି ଟିମ୍ ମୃତୟନ ପାଇଁ ପ୍ରସ୍ତୁତ ରହିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ରିଲିଫ୍ , ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଜାହଜ ଓ ହେଲିକପ୍ଟର ନିୟୋଜିତ କରାଯାଇଛି।

ବାୟୁସେନା ଏବଂ ସ୍ଥଳସେନାର ଇଞ୍ଜିନିୟର ଟାକ୍ସଫୋର୍ସ ୟୁନିଟକୁ ନିୟୋଜିତ କରିବା ଲାଗି ପ୍ରସ୍ତୁତି ରଖାଯାଇଛି। ପୂର୍ବତଟ ଅଞ୍ଚଳରେ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଏବଂ ଚିକିତ୍ସାଦଳ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି

ସୂଚନାଯୋଗ୍ୟ, ବଙ୍ଗୋପସାଗର ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ଡିସେମ୍ବର ୩ ତାରିଖରେ ସାମୁଦ୍ରିକ ବାତ୍ୟା ‘ଜୋୱାଦ୍‌’ ପାଲଟିବାର ଆଶଙ୍କା ରହିଛି। ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ‘ଜୋୱାଦ୍‌’ ଘଣ୍ଟା ପ୍ରତି ୨୦ ରୁ ୧୦୦ କି. ମି. ବେଗରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରବାହ ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବୃଷ୍ଟିପାତ ଏବଂ ଜୁଆରିଆ ଢେଉ ମାଡ଼ି ଆସିବାର ସମ୍ଭାବନା ରହିଛି।

ଏହି ବାତ୍ୟା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌, ବିଶାଖାପଟନମ୍‌ ଏବଂ ବିଜୟନଗରମ୍‌ ଜିଲ୍ଲା ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିବ। ଏଥିଯୋଗୁଁ ପଶ୍ଚମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରେ ମଧ୍ୟ ଭୀଷଣରୁ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟା ପ୍ରକୋପରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତ୍‌ସିଂହପୁର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି। କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ୪ ତାରିଖ ଦିନ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି। ସେଦିନ ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

 

Leave A Reply

Your email address will not be published.