Latest Odisha News

BREAKING NEWS

ବଙ୍ଗୋପସାଗରରେ ବାତ୍ୟା ‘ସିତ୍ରଙ୍ଗ’ ଆଶଙ୍କା, ଜାଣନ୍ତୁ କେଉଁ ଦେଶ କରିଛି ନାମକରଣ, ଅର୍ଥ କଣ ?

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ମନରେ ଛନକା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଅକ୍ଟୋବର ୨୨ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ନେଇ ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି ।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇପାରେ ।

ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଭିନ୍ନ ପାଣିପାଗ ମଡେଲର ଆକଳନ ଭିନ୍ନ ରହିଥିବା ବେଳେ କେଉଁଠି ବାତ୍ୟା ମାଡ଼ ହେବ ସ୍ପଷ୍ଟ ହୋଇନି । ଯଦି ଲଘୁଚାପ ଘନୀଭୂତ ହୋଇ ଅବପାତ ପରେ ବାତ୍ୟାର ରୂପ ନିଏ ତେବେ ନାମ ରହିବ ‘ସିତ୍ରଙ୍ଗ’ । ବାତ୍ୟାର ନାମକରଣ ‘ସିତ୍ରଙ୍ଗ’ କରିଛି ଥାଇଲାଣ୍ଡ । ‘ସିତ୍ରଙ୍ଗ’ ହେଉଛି ଥାଇଲାଣ୍ଡ ଲୋକଙ୍କ ସରନେମ୍ ।

‘ସିତ୍ରଙ୍ଗ’ ପରେ ଆସିବାକୁ ଥିବା ବାତ୍ୟାର ନାଁ ହେଉଛି ‘ମ୍ୟାନ ଦୋସ୍’ । ଏହି ନାଁ ଦେଇଛି ୟୁନାଇଟେଡ୍ ଆରବ ଏମିରେଟ୍ସ । ଏହାପରେ ୟେମେନ୍ ଦେଇଥିବା ବାତ୍ୟାର ନାଁ ‘ମୋଖା’ । ଭାରତ ସହ ୧୩ଟି ଦେଶ ବାତ୍ୟାର ନାମକରଣ କରିଛନ୍ତି ।

Leave A Reply

Your email address will not be published.