Latest Odisha News

BREAKING NEWS

ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା, ୨୬ ଯାଏ ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ ।

ଏହାପରେ ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ରିକର୍ଭ ହୋଇ ଉତ୍ତର ଆଡ଼କୁ ଗତି କରି ୨୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ ।

ଏହା ପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ୨୫ ତାରିଖରେ ଛୁଇଁବ । ଓଡ଼ିଶା ଉପକୂଳ ଠାରୁ ଦୂରରେ ବାତ୍ୟା ଚାଲିଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲାରେ ୨୩ ତାରିଖରୁ ବର୍ଷା ହେବ । ୨୪ରେ ପ୍ରବଳ ବର୍ଷା ଏବଂ ୨୫ ତାରିଖରେ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବ । ୨୫ ତାରିଖରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ପଶ୍ଚିମବଙ୍ଗ ଉପକୂଳରେ ରହିବ ।

୨୨ ତାରିଖରୁ ୨୬ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ । ୨୬ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଅନ୍ୟପଟେ ଆଜି ସମ୍ପୂର୍ଣ୍ଣ ରାଜ୍ୟରୁ ଅପସାରଣ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.