Latest Odisha News

ମରିଗଲା ମାନବିକତା: କେହି ଛୁଇଁଲେନି ଶବ, ଶଗଡ଼ରେ ଲଦି ମଶାଣି ନେଲା ପୁଅ

ବଲାଙ୍ଗିର: ଅନ୍ୟ ଜାତିରେ ବାହା ହୋଇଥିବାରୁ ମୃତଦେହକୁ କାନ୍ଧ ଦେଲେନାହିଁ ସମ୍ପର୍କୀୟ । କାନ୍ଧ ଦେବା ଦୂରର କଥା, ଶବକୁ ଆଡ଼ଆଖିରେ ଚାହିଁଲେ ନାହିଁ । ସାହି ପଡ଼ିଶା ବି ପାଖ ମାଡ଼ିଲେ ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ନାବାଳକ ପୁଅ ବାପାଙ୍କର ଶବ ସତ୍କାର କରିବାକୁ ଶଗଡ଼ ଗାଡ଼ିର ସାହାରା ନେଇଥିଲା । ଶଗଡ଼ରେ ବାପାଙ୍କ ମୃତଦେହକୁ ଲଦି ନେଇଥିଲା ଶ୍ମଶାନ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତକ ହେଲେ ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତର ପାଢ଼େଲ ଗାଁର କଲ୍ୟାଣ । ତାଙ୍କ ଘର ଛତିଶଗଡ଼ରେ । ସେ ପାଢ଼େଲ ଗାଁର ସୀତା ସରାଫଙ୍କ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇ ପୁଅ ଓ ଦୁଇ ଝିଅ । ଗତ କିଛି ଦିନ ତଳେ କଲ୍ୟାଣଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ୍ୟୁବରଣ କରିଥିଲେ କଲ୍ୟାଣ ।

ମୃତଦେହକୁ ପରିବାର ଲୋକ ଗାଁକୁ ଆଣିଥିଲେ । ଶେଷକୃତ୍ୟରେ ସହଯୋଗ କରିବା ପାଇଁ ପରିବାର ଲୋକଙ୍କୁ ଖବର ଦେଇଥିଲେ ସୀତ ସରାଫ । କିନ୍ତୁ କଲ୍ୟାଣ ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ଆସି ନଥିଲେ । ଜାତି କି ସମାଜ କେହି ଶବ ସତ୍କାରରେ ସହଯୋଗ କରି ନଥିଲେ । ଶେଷରେ ଶଗଡ଼ ଗାଡ଼ିରେ ଶବକୁ ଲଦି ପାଖ ଜଙ୍ଗଲକୁ ନିଆଯାଇଥିଲା ।

ଆଜିର ସମାଜରେ ଜାତି ପ୍ରଥାକୁ ନେଇ ବାଛବିଚାର ଏବେବି ରହିଛି । ଅନ୍ୟ ଜାତିର ହୋଇଥିବାରୁ କଲ୍ୟାଣକୁ ଚାରି କାନ୍ଧ ମିଳିଲା ନାହିଁ । ମଣିଷ ପଣିଆ ବି ମରିଗଲା । ମରି ଯାଇଥିବା ମଣିଷ ପ୍ରତି ବି କାହାରି ସହାନୁଭୂତି ଟିକିଏ ଆସିଲା ନାହିଁ । କଲ୍ୟାଣଙ୍କ ଅବୋଧ ଶିଶୁଙ୍କ ପ୍ରତି ସମ୍ପର୍କୀୟ କି ସମାଜ କାହାର ଟିକିଏ ହେଲେ ଦରଦ ହେଲା ନାହିଁ ।

Leave A Reply

Your email address will not be published.