Latest Odisha News

BREAKING NEWS

ତୀବ୍ର ଅବପାତ ନେଉଛି ବାତ୍ୟାର ରୂପ: ଓଡ଼ିଶା ସତର୍କ

ଭୁବନେଶ୍ୱର: ଭାରତୀୟ ପାଣିପାଗର ସଦ୍ୟତମ ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଉତ୍ତର ଆଣ୍ଡାମାନ ଦ୍ୱୀପପୁଞ୍ଜ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି । ବର୍ତ୍ତମାନ ଘଣ୍ଟାପ୍ରତି ୯ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ମୁହାଁଉଛି ଏହି ଅବପାତ ।

ପ୍ରଳୟଙ୍କରୀ ବାତ୍ୟା ଫନୀର ବିଭିଷୀକା ମନରୁ ନଜାଉଣୁ ପୁଣି ଏକ ବାତ୍ୟାର ଆଶଙ୍କା ଓଡ଼ିଶାବାସୀଙ୍କୁ ସତର୍କ କରିଦେଇଛି । ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କ୍ରମେ ଅବପାତରେ ପରିଣତ ହୋଇ ଏହା ଏବେ ତୀବ୍ର ଅବପାତରେ ପରିଣତ ହୋଇସାରିଛି । ଏହି ତୀବ୍ର ଅବପାତ ଏବେ କ୍ରମଶଃ ବାତ୍ୟାର ରୂପ ନେବାରେ ଲାଗିଛି । ଆସନ୍ନ ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ସମଗ୍ର ଓଡ଼ିଶାବାସୀ ସତର୍କତାର ସହିତ ଅପେକ୍ଷା କରିଛନ୍ତି ।

ଆଇଏମଡ଼ିର ସୂଚନାନୁଯାୟୀ, ଆଣ୍ଡାମାନ ଦ୍ୱୀପପୁଞ୍ଜ ନିକଟବର୍ତ୍ତୀ ବଙ୍ଗୋପସାର ନିକଟବର୍ତ୍ତୀ ମାୟା ବନ୍ଦରର ୩୯୦ କିଲୋମିଟର ଦୂରରେ ପହଞ୍ଚିଛି । ଏହା ଓଡ଼ିଶା ପାରାଦ୍ୱୀପର ବନ୍ଦରର ୮୧୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ସେହିପରି ଭାବେ ଏହା ବାଂଲାଦେଶ ଉପକୂଳର ୯୬୦ କିମି ବଙ୍ଗୋପସାଗରେ ଘନିଭୂତ ହୋଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହେବାକୁ କିଛି ସମୟ ନେବା ସହିତ ଏବଂ ଏହାପରେ ପଶ୍ଚିବବଙ୍ଗ ତଥା ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ମୁହାଁ ହୋଇ ଗତି କରିବାର ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ । ତେବେ ଏହା କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଆଇଏମଡ଼ିର ସତର୍କ ସୂଚନାନୁଯାୟୀ ୮ ତାରିଖରେ ସମୁଦ୍ର ପ୍ରାୟ ଅଶାନ୍ତ ରହିବ । ଏହି ସମୟରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.