Latest Odisha News

BREAKING NEWS

‘ଲୋକଙ୍କ ସରକାର, ବିକାଶ ସରକାର ବିଜେପି’

ରାୟଗଡା: ଲୋକଙ୍କ ସରକାର, ବିକାଶର ସରକାର ହେଉଛି ବିଜେପି । ରାୟଗଡା ସହର ସ୍ଥିତ ଜିଆଇଏସିଆର ପଡିଆ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଏପରି ବକ୍ତବ୍ୟରୁ ନିଜ ଅଭିଭାଷଣର ଆରମ୍ଭ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ଭାରତର ବିକାଶ ତଥା ଓଡିଶାର ବିକାଶ କେବଳ ବିଜେପି ସରକାର ଦ୍ୱାରା ହିଁ ସମ୍ଭବ । କେନ୍ଦ୍ରରେ ମୋଦି ସରକାରଙ୍କ ବିକାଶର ଧାରା ଜାରି ରହିଥିବା ବେଳେ ଏଥର ଓଡିଶାରେ ପରିବର୍ତ୍ତନର ଆବଶ୍ୟକତା ଅଛି ।

ରାଜନାଥ ଆହୁରି କହିଛନ୍ତି ଯେ, ଏଥର ଓଡିଶାର ଡବଲ ଇଞ୍ଜିନର ସରକାରଙ୍କୁ ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଛି । ମୋଦି ସରକାରଙ୍କ ଏପରି ବିକାଶମୂଳକ କାର୍ଯ୍ୟ ଜାରି ରହିଲେ ଆଗାମୀ ୧୦ ରୁ ୧୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ରୂପେ ଭାରତରେ ଗରୀବ ହଟିବ ବୋଲି ଦୃଢୋକ୍ତିର ସହ ପ୍ରକାଶ କରିଥିଲେ ଶ୍ରୀସିଂହ । ଲୋକଙ୍କ ମୌଳିକ ସୁବିଧ ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛି । ପକ୍କା ଘର, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସମସ୍ୟାର ସମାଧାନ କେବଳ ମୋଦି ସରକାର ଦ୍ୱାରା ହିଁ ସମ୍ଭବ ବୋଲି ମଧ୍ୟ କହିଥିଲେ ।

ଓଡିଶାର ବିଜେପି ସରକାର ଗଠନ କଲେ ୫ ବର୍ଷ ଭିତରେ ସମସ୍ତ ଓଡିଶାବାସୀ ମୌଳିକ ସୁବିଧା ପାଇପାରିବେ । ଗରୀବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫର ସବୁଠାରୁ ବଡ ଉପହାର ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଯୋଜନାରେ ଏବେ ମଧ୍ୟ ଓଡିଶାର ବହୁ ଲୋକ ବଞ୍ଚିତ ଅଛନ୍ତି, ପ୍ରକୃତ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇପାରି ନାହାନ୍ତି । ଓଡିଶାରେ ବିଜେପି ସରକାର ଗଠନ କଲେ ସମସ୍ତ ଓଡିଶାବାସୀ ଆୟୁଷ୍ମାନ ଭାରତର ଯୋଜନାର ଲାଭ ପାଇପାରିବେ ବୋଲି ଶ୍ରୀସିଂହ ପ୍ରକାଶ କରିଥିଲେ ।

୨୨ ଜାନୁୟାରୀ ଭାରତ ପାଇଁ ଐତିହାସିକ ଦିନ ଥିଲା । ସେହି ଦିନ ଅଯୋଧ୍ୟ ଠାରେ ମର୍ଯ୍ୟାଦା ପୁରୁଷ ରାମଲଲା, କୁଟୀରରୁ ବାହାରି ଭବ୍ୟ ମନ୍ଦିରରେ ପ୍ରତିଷ୍ଠିତ ହୋଇଥିଲେ । ଯେଉଁ ମାନେ ମନ୍ଦିରକୁ ନେଇ କଟାକ୍ଷ କରୁଥିଲେ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପାଟି ଚୁପ୍ ହୋଇଯାଇଛି ବୋଲି ସେ କଂଗ୍ରେସକୁ ତେରେଛା ବାଣ ମାରିଥିଲେ ।

୨୦୧୯ରେ କେନ୍ଦ୍ରରେ ବିଜେପି ସରକାର ଆସିଲେ ଜମୁ ଓ କଶ୍ମୀରରେ ଥିବା ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରୟାସ କରିବ ବୋଲି ପ୍ରତିଶୃତି ଦେଇଥିଲା ପ୍ରତିଶୃତିକୁ ରକ୍ଷା କରି ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟାଇ ଲୋକଙ୍କ ମୁହଁରେ ହସ ଫୁଟାଇଛି ବୋଲି ସେ କହିଥିଲେ । ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି । କୋରପୁଟ ଲୋକସଭା ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ରାୟଗଡା ବିଧାନସଭା ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, ବିଷମକଟକରୁ ଜଗନ୍ନାଥ ନୁଣ୍ଡୃକା ଓ ଗୁଣପୁରରୁ ତ୍ରିନାଥ ଗମାଙ୍ଗକୁ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.