Latest Odisha News

BREAKING NEWS

ବଜେଟରେ କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା; ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ:  ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନ କରିବେ। ପ୍ରତି ମାସରେ ଏହି ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ  ୨୦୦୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶୀ ୨୦୨୪-୨୫ ପାଇଁ  ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନା କରୁଥିବା ବେଳେ ଏହା କହିଛନ୍ତି ।

ଦିଲ୍ଲୀ ଅର୍ଥ ମନ୍ତ୍ରୀ କହିଛନ୍ତି,‘‘ଆମେ ଯେତେବେଳେ  ୨୦୧୩ରେ ରାଜନୀତିରେ ପ୍ରବେଶ କରିଥିଲୁ, ସେତେବେଳେ ଲୋକମାନେ ରାଜନୀତି ଉପରେ ବିଶ୍ୱାସ ହରାଇଥିଲେ । ଲୋକ ଭୋଟ ଦେଉଥିଲେ, ହେଲେ ଭୋଟ ପ୍ରତି ତାଙ୍କର ଆସ୍ଥା ଚାଲିଯାଇଥିଲା । ଘର କିପରି ଚାଲିବ, ଉତ୍ତମ ଚିକିତ୍ସା କିପରି ପାଇବୁ ଏବଂ ପିଲାମାନଙ୍କୁ ଭଲ ଶିକ୍ଷା କିପରି ଦେବୁ ନେଇ  ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଥିଲା । ଏହି ସବୁ କାରଣରୁ ଲୋକମାନେ ସରକାରଙ୍କ ଉପରେ ନୁହେଁ ବରଂ ଭୋଟ୍ ଦେବାରେ ମଧ୍ୟ  ଭରସା ଉଠି ଯାଇଥିଲା । ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲ ସରକାର ଦିଲ୍ଲୀର ଲୋକଙ୍କ ପାଇଁ ଆଶାର କିରଣ ଭାବେରେ ଆସିଥିଲେ।’’

ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟତା ଓ ସଚ୍ଚୋଟତା ଉପରେ ବିଶ୍ୱାସ କରିଥିଲେ । ଆଉ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ । ଆମେ ଦିଲ୍ଲୀରେ ରାମରାଜ୍ୟ ସ୍ୱପ୍ନକୁ ସାକାର  କରିବାକୁ ସଂକଳ୍ପ ନେଉଛିୁ । ମୁଖ୍ୟମନ୍ତ୍ରୀ ରାମ ରାଜ୍ୟର ସ୍ୱପ୍ନକୁ ସାକାର କରିବା ପାଇଁ ୯ ବର୍ଷ ଧରି ଦିନରାତି କାର୍ଯ୍ୟ କରି ଆସୁଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଦିଲ୍ଲୀର ସାଧାରଣ ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିଛି । ଯେତେବେଳେ ଆମେ ଦିଲ୍ଲୀବାସୀଙ୍କ ସହ ଆଲୋଚନା କରୁ  ପ୍ରତିଦିନ  ରିପୋର୍ଟ କାର୍ଡ ପାଇଥାଉ ।’’

ଅଯୋଧ୍ୟା ପରି ଆମେ ମଧ୍ୟ ଦିଲ୍ଲୀରେ ସମୃଦ୍ଧି ଆଣିବାକୁ ଚେଷ୍ଟା କରୁଛୁ । ୨୦୧୪-୧୫ ତୁଳନାରେ ଦିଲ୍ଲୀର ମୁଣ୍ଡପିଛା ଆୟ ବର୍ତ୍ତମାନ ଜାତୀୟ ହାରଠାରୁ ପ୍ରାୟ ୨.୫ ଗୁଣ ଅଧିକ ରହିଛି । ଦିଲ୍ଲୀରେ ସଚ୍ଚୋଟ ସରକାର ହୋଇ ଥିବାରୁ ରାଜସ୍ୱ ବୃଦ୍ଧି ପାଇଛି । ୨୦୧୪-୧୫ରେ ୩୦,୦୦୦ କୋଟିରୁ ବୃଦ୍ଧି ପାଇ ଆଜି ୭୬,୦୦୦ କୋଟି ଟଙ୍କା ବୃଦ୍ଧି ପାଇଥିବା ଦିଲ୍ଲୀ ଅର୍ଥମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.