Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ! ୩୫ଟି ସ୍ଥାନରେ ରେଡ୍

ଇଡି ଗତମାସରେ ହାଇଦ୍ରାବାଦ ସମେତ ଅନେକ ସ୍ଥାନରେ ରେଡ୍ କରିଥିଲା। ଏହି ସମୟରେ ଅବକାରୀ ଦୁର୍ନୀତିର ଏକ ବଡ ପ୍ରମାଣ ମିଳିଥିବା ସୂଚନା ରହିଛି।

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ରେଡ୍ କରିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ପଚରାଉଚରା କରିବା ବେଳେ ଇଡି କିଛି ନୂଆ ତଥ୍ୟ ପାଇଛି। ଏହାପରେ ମଦ ବ୍ୟବସାୟୀ ଏବଂ ମଦ କମ୍ପାନୀ ଆଦିରେ ରେଡ୍ କରିଛି ଇଡି।

ଜାତୀୟ ଇଂରାଜୀ ଖବର କାଗଜ ‘ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ’ ପ୍ରକାଶ କରିଥିବା ଏକ ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ ଇଡି ଗତମାସରେ ହାଇଦ୍ରାବାଦ ସମେତ ଅନେକ ସ୍ଥାନରେ ରେଡ୍ କରିଥିଲା। ଏହି ସମୟରେ ଅବକାରୀ ଦୁର୍ନୀତିର ଏକ ବଡ ପ୍ରମାଣ ମିଳିଥିବା ସୂଚନା ରହିଛି। ଯାହାକୁ ନେଇ ଇଡି ଏବେ କିଛି ବ୍ୟକ୍ତିଙ୍କୁ ଜେରା କରିବାକୁ ସମନ କରିଥିବା ସୂଚନା ରହିଛି। ୨ ହଜାର କୋଟି ଟଙ୍କାର ଦୁର୍ନୀତିର ପ୍ରମାଣ ଇଡି ହାତରେ ଲାଗିଥିବା ସୂଚନା ରହିଛି।
ଇଡି ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦୩ ରୁ ଅଧିକ ସ୍ଥାନରେ ଚଢାଉ କରିଛି ଏବଂ ଗତ ମାସରେ ଏହି ମାମଲାରେ ଏକ କମ୍ପାନୀର ନିର୍ଦ୍ଦେଶକ ସମୀର ମହନ୍ଦରୁ ମଧ୍ୟ ଗିରଫ କରିଛି। ଏହି ମାମଲାରେ ମନି ଲଣ୍ଡରିଂର ଅଭିଯୋଗ ରହିଥିବାରୁ ଇଡି ତଦନ୍ତ କରୁଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ମନ୍ତ୍ରୀ ଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

 

ଦିଲ୍ଲୀର ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ହୋଇଥିବା ନେଇ ଦିଲ୍ଲୀର ଉପରାଜ୍ୟପାଳ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଟ୍ୱିଟ୍ କରି କହିଛନ୍ତି, ଇଡି ପକ୍ଷରୁ ୫୦୦ରୁ ଅଧିକ ରେଡ୍ ହୋଇଛି । ତିନି ମାସ ହେଲା ସିବିଆଇ-ଇଡିର ୩୦୦ରୁ ଅଧିକ ଅଧିକାରୀ ଦିନରାତି କାମ କରୁଛନ୍ତି। ହେଲେ ଡାର୍ଟି ପଲିଟିକ୍ସ ପାଇଁ ଏତେ ସଂଖ୍ୟକ ଅଫିସରଙ୍କ ସମୟ ନଷ୍ଟ ହେଉଛି।

ଇଡିର ଏଫଆଇଆର ଅନୁସାରେ ଇଣ୍ଡୋସ୍ପିରିସର ମାଲିକ ସମୀର ମହେନ୍ଦ୍ରୁ ମନିଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇଥର କୋଟିଏରୁ ଅଧିକ ଟଙ୍କା ଦେଇଥିଲେ। ମିଡିଆ ରିପୋର୍ଟ ଅନୁସାରେ, ଦିଲ୍ଲୀ ମଦ ସ୍କାମରେ ଆନ୍ଧ୍ର ଓ ପଞ୍ଜାବ ସହ ଲିଙ୍କ୍ ଥିବା ମଧ୍ୟ ଜାଣିବାକୁ ମିଳିଛି, ବ୍ୟବସାୟୀ ଓ ପୂର୍ବତନ ଅଧିକାରୀଙ୍କ ଘରେ ଏ ନେଇ ରେଡ୍ ହୋଇଛି।

Leave A Reply

Your email address will not be published.