Latest Odisha News

BREAKING NEWS

କେଜ୍ରିୱାଲଙ୍କ ଘର ମରାମତିରେ ୪୫ କୋଟି, ହିସାବ ମାଗିଲେ ଏଲଜି

ଭୁବନେଶ୍ୱର: ବିବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ମରାମତି ପ୍ରସଙ୍ଗ। ଘର ମରାମତିରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ବିଜେପିର ଟାର୍ଗେଟରେ ଥିବା କେଜ୍ରିୱାଲଙ୍କୁ ଏଲଜିଙ୍କ ଝଟକା।

ସରକାରୀ ବାସଭବନ ଉନ୍ନତିକରଣରେ ୪୫ କୋଟି ଖର୍ଚ୍ଚ ପ୍ରସଙ୍ଗରେ ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବା ସହ ସେସବୁ ରେକର୍ଡ଼କୁ ଯାଞ୍ଚ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ଏଲଜି ଭି କେ ସକ୍ସେନା।

ପିଡବ୍ଲୁଡି ଦ୍ୱାରା କରାଯାଇଥିବା ଏହି ଉନ୍ନତିକରଣ କାମରେ ବ୍ୟାପକ ଅନିୟମିତତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଲଜି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ତେଣୁ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଘରର ଉନ୍ନତିକରଣ ସମ୍ପର୍କିତ ରେକର୍ଡ ତୁରନ୍ତ ସୁରକ୍ଷିତ ସ୍ଥାନରେ ରଖିବା ସହ ଏହାର ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ଯାହାକୁ ନେଇ ଦିଲ୍ଲୀ ସମେତ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି।

ଏହି ଘଟଣାରେ ଆଇନର ଉଲ୍ଲଙ୍ଘନ ହୋଇଛି କି ନାହିଁ ସେସବୁ ଯାଞ୍ଚ ହେବ ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ଅଳ୍ପ ଦିନ ତଳେ ବିଜେପି ଓ ଆମ ଆଦମୀ ପାର୍ଟି ମୁହାଁମୁହିଁ ହୋଇଥିଲେ।

ନିଜକୁ ଜଣେ ସାଧାରଣ ଲୋକ କହୁଥିବା କେଜ୍ରିୱାଲ କିଭଳି ରାଜକୀୟ ଜୀବନ ବଞ୍ଚୁଛନ୍ତି ତାକୁ ନେଇ ବିଜେପି ଆପ ଓ କେଜ୍ରିୱାଲଙ୍କ ଉପରେ ବର୍ଷିଥିଲା। ଏପରିକି କେଜ୍ରିୱାଲଙ୍କ ଏହି ରାଜକୀୟ ବିଳାସ ସାମ୍ନାକୁ ଆସିବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିବା ବିଜେପି କହିଥିଲା।

କେଜ୍ରିୱାଲଙ୍କ ଘର ମରାମତିବେଳେ ବହୁ ଦାମୀ ପରଦା, ଭିଏତନାମରୁ ମଗାଯାଇଥିବା ଏକ କୋଟି ଟଙ୍କାରୁ ଅଧିକ ଟଙ୍କାର ଶଙ୍ଖ ମଲମଲ ପଥର ଓ କାନ୍ଥରେ ୪ କୋଟି ଟଙ୍କାର କାଠ ଲଗାଯାଇ ମରାମତି କରାଯାଇଥିବା ବିଜେପି ଅଭିଯୋଗ କରିଥିଲା।

ସେପଟେ ଏହି ଘର ଅଶୀ ବର୍ଷ ତଳର ଓ ଏହା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିଲା। ତେଣୁ ନୂଆ ଘର ପାଇଁ ପିଡବ୍ଲୁଡି କହିଥିଲା ଏବଂ ପିଡବ୍ଲ୍ୟୁଡି ଏହାକୁ କରିଛି। ଆପ ପକ୍ଷରୁ ସେତେବେଳେ ଏ କଥା କୁହାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଗାଡି, ପେନ, ଚପଲର ଦାମ ପ୍ରସଙ୍ଗ ଉଠାଇ ବିଜେପିକୁ କଡ଼ା ସମାଲୋଚନା କରାଯାଇଥିଲା।

ତେଣୁ ବର୍ତ୍ତମାନ ଦିଲ୍ଲୀ ଏଲଜିଙ୍କ ଏଭଳି ନିର୍ଦେଶ ପରେ ସ୍ଥିତି ରୋଚକ ହୋଇଛି। ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷୁଛନ୍ତି। ଯାହାକୁ ନେଇ ଆପ ଓ ବିଜେପି ମଧ୍ୟରେ ଲଢେଇ ତୀବ୍ର ହୋଇଛି।

ଏପରିକି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ କେଜ୍ରିୱାଲ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ବହୁ ବିରୋଧୀ ମଧ୍ୟ କେଜ୍ରିୱାଲଙ୍କ ଏ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ସ୍ଥିତିରେ  କେଜ୍ରିୱାଲଙ୍କ ଘର ମରାମତିରେ ଏତେ କୋଟି ଖର୍ଚ୍ଚକୁ ନେଇ ରାଜନୀତି ତୀବ୍ର ହୋଇଥିବା ବେଳେ ଏଲଜିଙ୍କ ଏଣ୍ଟ୍ରି ଘଟଣାକୁ ରୋଚକ କରିଛି।

Leave A Reply

Your email address will not be published.