Latest Odisha News

BREAKING NEWS

କାହାକୁ ନେତା ବାଛିବ ନୂଆପଡା ?

ଭୁବନେଶ୍ବର: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା। ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର ? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ କି ଶଙ୍ଖନାଦ ? ନା ଖେଳ ବିଗାଡିବେ ଘାସିରାମ ମାଝୀ ?

ନୂଆପଡା ବିଧାନସଭାରେ ଏଥର ଦେଖିବାକୁ ମିଳିବ କଡା ଟକ୍କର । ବିଜେଡିରୁ ଭେଟେରାନ୍ ରାଜେନ୍ଦ୍ର ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି ତ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନଙ୍କୁ ଟିକେଟ୍ ଦେଇଛି ବିଜେପି । ୨୦୧୯ରେ ନୂଆପଡାରୁ ବିଜୟୀ ହୋଇଥିଲେ ରାଜେନ୍ଦ୍ର । ୨୦୦୪ରେ ସେ ସ୍ୱାଧୀନ ଭାବେ ଜିତିଥିଲେ । ବିଜେଡିରେ ଯୋଗ ଦେବା ପରେ ୨୦୦୯ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ତିନିଥରର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ନୂଆପଡାରେ ଦବଦବା ରହିଛି । ଏଥର ବିଜୟର ଚଉକା ଲଗାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ରାଜେନ୍ଦ୍ରଙ୍କ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ବିଜେପିର ବସନ୍ତ ପଣ୍ଡା । ୨୦୦୯ରେ ବସନ୍ତ ରାଜେନ୍ଦ୍ରଙ୍କଠାରୁ ପରାଜିତ ହୋଇଥିଲେ । ତେବେ ୨୦୧୪ରେ ରାଜେନ୍ଦ୍ରଙ୍କୁ ହରାଇଥିଲେ । ହେଲେ ଏଥର ମଇଦାନରେ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା । ରାଜେନ୍ଦ୍ରଙ୍କ ବିପକ୍ଷରେ ଯୁବ ଚେହେରା ଓହ୍ଲାଇଛି ବିଜେପି । ବାପା ବସନ୍ତଙ୍କ ଲୋକସଂପର୍କ ଓ ସଂଗଠନକୁ ନେଇ ରାଜେନ୍ଦ୍ରଙ୍କ ବିଜୟ ରଥ ରୋକିବାକୁ ଉଦ୍ୟମ କରୁଛନ୍ତି ଅଭିନନ୍ଦନ ।

ନୂଆପଡା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ ନୂଆପଡା ପାଇଁ ପୁରୁଣା ଚେହେରା । ୧୯୯୧ ଓ ୧୯୯୬ରେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ବଲାଙ୍ଗୀର ଲୋକସଭା ଅଧୀନରେ ନୂଆପଡା ରହିଥିଲା । ହେଲେ ଏବେ ବଦଳିଛି ନୂଆପଡା ସମୀକରଣ । ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦ୍ୱିତୀୟରେ ରହିଥିଲେ ଘାସିରାମ ମାଝୀ । ଏଥର ବି ପ୍ରାର୍ଥୀ ହେବାକୁ ଲବି କରିଥିଲେ ଘାସିରାମ । ହେଲେ ବିନା ସଂଗଠନରେ ନିଜେ ପିସିସି ସଭାପତି ନୂଆପଡାରୁ ପ୍ରାର୍ଥୀ ହେବାକୁ ମନ ବଳାଇବାରୁ କଟିଥିଲା ଘାସିରାମଙ୍କ ଟିକେଟ୍ । ତେବେ ଘାସିରାମଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମର୍ଥନ ଦେବାକୁ ଜିଲ୍ଲା ଆଦିବାସୀ ସଂଘ ନିଷ୍ପତ୍ତି ନେଇଛି । ଘାସିରାମ ସ୍ୱାଧୀନ ପ୍ରାର୍ଥୀ ହେଲେ ବି ସବୁ ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି । ତେଣୁ ନୂଆପଡାରେ ଏଥର ଚାରି ତରଫା ଲଢେଇ ଦେଖିବାକୁ ମିଳିବ ।

Leave A Reply

Your email address will not be published.