ବାଲେଶ୍ୱର: ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ। ପୋଲିସକୁ ଯେପରି ସନ୍ଦେହ ନ ହେଉ ସେଥିଲାଗି ଡେଲିଭରି’ କମ୍ପାନୀର ଟ୍ରକ୍ ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପାର୍ସଲ ଟ୍ରକ ହେଲଫର ସିଟ ତଳୁ ମିଳିଲା ପୁଳାପୁଳା ଗଞ୍ଜେଇ। ଦୁର୍ଘଟଣା ପରେ ମିଳିଲା ଗଞ୍ଜେଇ ଚାଲାଣର ତଥ୍ୟ। ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚପରାପଦା ନିକଟରେ ଦୁଇଟି ଟ୍ରକ ଦୁର୍ଘଟଣା ହେବା ପରେ ଗଞ୍ଜେଇ ଚାଲାଣର ଅଭିନବ ଉପାୟ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଚପରପଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା ଉପରେ ଛିଡା ହୋଇଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଏକ କଣ୍ଟେନର ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଉଭୟ ଗାଡିର ଚାଳକ ଫେରାର ହୋଇଯାଇଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ କଣ୍ଟେନରରୁ ୨୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା।
ଏହି ଟ୍ରକରେ ଥିଲା ୨୨ ପ୍ୟାକେଟ ଗଞ୍ଜେଇ। ଯାହାର ବଜାରରେ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ l ଟ୍ରକ ଡ୍ରାଇଭର, ହେଲପର ଫେରାର ହୋଇଯାଇଛନ୍ତି। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ମିଳିଥିଲା ସୂଚନା। ଘଟଣାସ୍ଥଳରେ ଲୋର ପୋଲିସର ତଦନ୍ତ ଜାରି। ସେହିପରି ଗତକିଛି ଦିନ ତଳେ ଭୁବନେଶ୍ୱରରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଥିଲେ । କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା । ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।