Latest Odisha News

BREAKING NEWS

ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧ କୋଟି: PPF ଖାତାଧାରୀଙ୍କ ପାଇଁ ଜବରଦସ୍ତ ଟ୍ରିକ୍

ନୂଆଦିଲ୍ଲୀ: ବିନା କୌଣସି ରିସ୍କରେ ଯଦି ଆପଣ କୋଟିପତି ହେବାକୁ ଚାହୁଁଛନ୍ତି, ତେବେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ୍ ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ ସାବ୍ୟସ୍ତ ହୋଇପାରେ । ସେୟାର ବଜାରର ଅସ୍ଥିରତା ଠାରୁ ଦୂରରେ ରହି ନିରାପଦ ନିବେଶ ଖୋଜୁଥିବା ଲୋକଙ୍କ ପାଇଁ ପିପିଏଫ୍ ସବୁଠାରୁ ଲୋକପ୍ରିୟ ମାଧ୍ୟମ । ତେବେ ଏହି ଯୋଜନାରେ ନିବେଶ କରି କିପରି ୧ କୋଟି ଟଙ୍କାର ଏକ ବିଶାଳ ଫଣ୍ଡ ପ୍ରସ୍ତୁତ କରିହେବ, ସେନେଇ ଏକ ସ୍ୱତନ୍ତ୍ର ‘୧୫x୫x୫’ ଫର୍ମୁଲା ଏବେ ବେଶ୍ ଚର୍ଚ୍ଚାରେ ରହିଛି ।

ସାଧାରଣତଃ ପିପିଏଫ୍ ଖାତାର ମ୍ୟାଚୁରିଟି ବା ପରିପକ୍ୱତା ଅବଧି ୧୫ ବର୍ଷ ହୋଇଥାଏ । ନିୟମ ଅନୁଯାୟୀ, ଆପଣ ଚାହିଁଲେ ମ୍ୟାଚୁରିଟି ପରେ ଏହି ଖାତାକୁ ୫ ବର୍ଷିଆ ବ୍ଲକରେ ଆଗକୁ ବଢ଼ାଇ ପାରିବେ । ଏହି ସ୍ୱତନ୍ତ୍ର ଫର୍ମୁଲା ଅନୁସାରେ, ୧୫ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ନିଜ ଖାତାକୁ ଦୁଇ ଥର ୫ ବର୍ଷ ଲେଖାଏଁ (ଅର୍ଥାତ୍ ଅତିରିକ୍ତ ୧୦ ବର୍ଷ) ବୃଦ୍ଧି କରିବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କ ନିବେଶର ସମୁଦାୟ ଅବଧି ୨୫ ବର୍ଷ ହୋଇଯିବ ।

ଏଥିପାଇଁ ଆପଣଙ୍କୁ ପ୍ରତିବର୍ଷ ପିପିଏଫ୍ ଖାତାରେ ସର୍ବାଧିକ ସୀମା ଅର୍ଥାତ୍ ୧.୫ ଲକ୍ଷ ଟଙ୍କା (ମାସିକ ପ୍ରାୟ ୧୨,୫୦୦ ଟଙ୍କା) ଜମା କରିବାକୁ ହେବ। ବର୍ତ୍ତମାନ ପିପିଏଫ୍‌ରେ ବାର୍ଷିକ ୭.୧ ପ୍ରତିଶତ ହାରରେ ସୁଧ ମିଳୁଛି । ଯଦି ଏହି ସୁଧହାର ଅପରିବର୍ତ୍ତିତ ରହେ, ତେବେ ୧୫ ବର୍ଷ ପରେ ଆପଣଙ୍କ ମୋଟ ଜମା ରାଶି ୨୨.୫ ଲକ୍ଷ ହେବ ଏବଂ ସୁଧ ମିଶି ଆପଣ ପ୍ରାୟ ୪୦ ଲକ୍ଷ ଟଙ୍କା ପାଇବେ ।

କିନ୍ତୁ ଯଦି ଆପଣ ଟଙ୍କା ନ ଉଠାଇ ଖାତାକୁ ଆଉ ୧୦ ବର୍ଷ ପାଇଁ ବଢ଼ାନ୍ତି ଏବଂ ପ୍ରତିବର୍ଷ ଦେଢ଼ ଲକ୍ଷ ଜମା କରିଚାଲନ୍ତି, ତେବେ ୨୫ ବର୍ଷ ଶେଷ ସୁଦ୍ଧା ଆପଣଙ୍କ ମୋଟ ନିବେଶ ୩୭.୫ ଲକ୍ଷ ଟଙ୍କା ହେବ। ମାତ୍ର ଚକ୍ରବୃଦ୍ଧି ସୁଧର ଯାଦୁ ବଳରେ ଆପଣଙ୍କୁ ମୋଟ ୧.୦୩ କୋଟି ଟଙ୍କାରୁ ଅଧିକ ରିଟର୍ଣ୍ଣ ମିଳିପାରିବ ।

ସବୁଠାରୁ ବଡ଼ କଥା ହେଉଛି, ପିପିଏଫ୍ ‘EEE’ ବର୍ଗରେ ଆସୁଥିବାରୁ, ନିବେଶ କରାଯାଇଥିବା ଅର୍ଥ, ମିଳୁଥିବା ସୁଧ ଏବଂ ମ୍ୟାଚୁରିଟି ରାଶି, ଏହି ତିନୋଟି ଉପରେ ଆୟକର ଛାଡ଼ର ସୁବିଧା ମିଳିଥାଏ । ସାଧାରଣତଃ ଚାକିରିଆ ଏବଂ ମଧ୍ୟବିତ୍ତ ପରିବାର ପାଇଁ ଅବସର ସମୟର ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବଜାରରେ ଅନେକ ମ୍ୟୁଚୁଆଲ୍ ଫଣ୍ଡ ବିକଳ୍ପ ଥିଲେ ମଧ୍ୟ ସେଥିରେ ରିସ୍କ ଥାଏ । କିନ୍ତୁ ପିପିଏଫ୍ ସମ୍ପୂର୍ଣ୍ଣ ସରକାରୀ ସୁରକ୍ଷା ପ୍ରଦାନ କରେ। ତେଣୁ ନିଜ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରୁ ଯଦି କେହି ଏହି ‘୧୫x୫x୫’ ଫର୍ମୁଲା ଆପଣାନ୍ତି, ତେବେ ଅବସର ବେଳକୁ ହାତରେ ସହଜରେ କୋଟିଏ ଟଙ୍କାର ପାଣ୍ଠି ପ୍ରସ୍ତୁତ ହୋଇସାରିଥିବ ।

Leave A Reply

Your email address will not be published.